ମଳିଛିଆ ପୋଷାକ ଓ ମୁଣ୍ଡରେ ଗଣ୍ଠିଲି ଦେଖି କୃଷକଙ୍କୁ ମେଟ୍ରୋରେ ଚଢ଼ିବାକୁ ଦେଲେନି ସୁରକ୍ଷା କର୍ମୀ; ଭିଡିଓ ଭାଇରାଲ୍ ପରେ ହେଲା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | February 26, 2024 IST

ବେଙ୍ଗାଲୁରୁ: ମାହାତ୍ମା ଗାନ୍ଧୀ ଭାରତୀୟ ହୋଇଥିବାରୁ ୧୮୯୩ ମସିହାରେ ବ୍ରିଟିଶରମାନେ ତାଙ୍କୁ ଟ୍ରେନ୍‌ର ଫାଷ୍ଟ କ୍ଲାସ୍ କମ୍ପାଟମେଣ୍ଟରୁ ଟାଣି ଓହ୍ଲାଇ ଦେଇଥିଲେ। ବ୍ରିଟିଶରମାନଙ୍କର ଏଭଳି ଜାତିଆଣା ମନୋଭବକୁ ସାରା ବିଶ୍ୱ ଘୃଣା କରିଥିଲା। ହେଲେ ସ୍ୱାଧୀନ ଓ ଆଧୁନିକ ଭାରତରେ ଏଭଳି ଘଟଣା ଘଟିବା ଅତି ଦୁଃଖର ବିଷୟ। ବେଙ୍ଗାଲୁରୁ ମେଟ୍ରୋ ଷ୍ଟେସନ୍‌ରେ ଠିକ୍ ଏମିତି ଏକ ଘଟଣା ଘଟିଛି। ପୋଷାକ ପିନ୍ଧିବାର ଶୈଳୀ ପାଇଁ ଜଣେ କୃଷକଙ୍କୁ ମେଟ୍ରୋରେ ଚଢ଼ିବାକୁ ଦିଆଯାଇ ନଥିଲା। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ଜଣେ ବୟସ୍କ ବ୍ୟକ୍ତି ମୁଣ୍ଡର କପଡ଼ା ଗଣ୍ଠିଲି ଧରି ମେଟ୍ରୋ ଟ୍ରେନ୍‌ରେ ଯିବାକୁ ବେଙ୍ଗାଲୁର ମେଟ୍ରୋ ଷ୍ଟେସନ୍‌ରେ ଛିଡ଼ା ହୋଇଥିଲେ। ଟ୍ରେନ ଟିକେଟ୍ ବି କାଟିଥିଲେ। ହେଲେ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଚେକ୍‌ ପଏଣ୍ଟ୍‌ରେ ତାଙ୍କୁ ଛାଡ଼ି ନଥିଲେ। ଏହା ଦେଖି କାର୍ତ୍ତିକ ସି ଏୟାରାନୀ ନାମକ ଜଣେ ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ। କାହିଁକି ବୟସ୍କ ବ୍ୟକ୍ତିଙ୍କୁ ଟ୍ରେନ୍‌ରେ ଯିବାକୁ ଦିଆଯାଉ ନାହିଁ ତାର କାରଣ ଜାଣିବାକୁ ଚାହିଁଥିଲେ। ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସୁରକ୍ଷାକର୍ମୀଙ୍କ ସହ ତର୍କ କରିଥିଲେ।

ପଢ଼ନ୍ତୁ-ଚାଷୀ ଆନ୍ଦୋଳନକୁ ଭାରତୀୟ କିଷାନ ୟୁନିୟନର ସମର୍ଥନ; ପଞ୍ଜାବ ବର୍ଡରରେ ଟ୍ରାକ୍ଟର ରାଲି

ମୁଣ୍ଡରେ ଗଣ୍ଠିଲି ବୋହିଥିବା ବ୍ୟକ୍ତି ହିନ୍ଦୀ କହୁଥିବାରୁ ସେ କନ୍ନଡ଼ ଭାଷା ବୁଝିପାରୁ ନଥିଲେ। ହେଲେ ମୋତେ ସେମାନେ ଯିବାକୁ ଦେବେ ନାହିଁ ବୋଲି ଭୟରେ କହୁଥିଲେ। ହେଲେ ଏୟାରାନୀ କିନ୍ତୁ ତାଙ୍କୁ ଭରସା ଦେଉଥିଲେ। ମେଟ୍ରୋ କ'ଣ କେବଳ ଭିଆପିଙ୍କ ପାଇଁ ହେଇଛି କି? ସେ ବ୍ୟକ୍ତି ଗଣ୍ଠିଲିରେ କେବଳ ପୋଷାକ ଆଣିଛନ୍ତି। ଏଥିରେ ମେଟ୍ରୋ ନିୟମର କୌଣସି ଉଲ୍ଲଂଘନ ହେଉ ନାହିଁ ବୋଲି ଏୟାରାନୀ ଭିଡିଓରେ ତର୍କ କରୁଥିବାର ଶୁଣିବାକୁ ମିଳୁଛି।

ଅନେକ ତର୍କବିତର୍କ କରିବା ପରେ ଶେଷରେ ସୁରକ୍ଷାକର୍ମୀ ଉକ୍ତ ବୟସ୍କ ବ୍ୟକ୍ତିଙ୍କୁ ମେଟ୍ରୋରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ। ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହିତ ବେଙ୍ଗାଲୁରୁ ମେଟ୍ରୋ ରେଳ କୋପରେସନ ଲିମିଟେଡ୍ ପକ୍ଷରୁ ଘଟଣା ପାଇଁ କ୍ଷମା ମଗାଯାଇଛି।

ଭାରତ ଭଳି ଏକ ସ୍ନେହଁଶୀଳ ରାଷ୍ଟ୍ରରେ ଲୋକମାନଙ୍କ ମନରେ ଏବେ ବି ଔପନିବେଶିକ ମାନସିକତା ରହିଛି। ବ୍ରିଟିସ୍ ସିନା ଚାଲିଗଲେ ହେଲେ କିଛି ଲୋକମାନଙ୍କ ମନରେ ଏଭଳି ଉଚନିଚ୍ଚ ଓ ଧନି ଗରିବର ଭାବନା ପୂରାଇ ଦେଇଗଲେ ଯେ ଯାହାଙ୍କ ପାଇଁ ଦେଶ ଆଜିପର୍ଯ୍ୟନ୍ତ ବଦନାମ ହେଉଛି। କେଉଁଠି ଜାତିଆଣା ଆକ୍ଷେପ କରି ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି ତ ଆଉ କେଉଁଠି ବ୍ରିଟିସରଙ୍କ ଭଳି ଏଭଳି ଘୃଣ୍ୟ କାଣ୍ଡ ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.