ପୋକ ଲାଗି ନଷ୍ଟ ହୋଇଗଲା କୋବି ଫସଲ, ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ

Published By : Prameya-News7 Bureau | November 22, 2021 IST

ଉମରକୋଟ ୨୨।୧୧: ଫସଲରେ କ୍ଷତି ହେବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଫୁଲ କୋବି ଫସଲ ନଷ୍ଟ ହେବା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଉକ୍ତ ଚାଷୀ ଜଣଙ୍କ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛତାବେଡା (ଡିଏନକେ) ଗ୍ରାମର ବିଭୂତି ସରକାର ବୋଲି ଜଣାପଡିଛି । ଋଣ ଭାରକୁ ନେଇ ବିଭୂତି ଏଭଳି ପଦକ୍ଷେପ ନେଇଥିବା ତାଙ୍କ ପରିବାର ଲୋକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛତାବେଡା ଗ୍ରାମର ବିଭୂତି ସରକାର ଚଳିତ ବର୍ଷ ଫୁଲ କୋବିର ଚାହିଦା ଦେଖି ନିଜ ୧ ଏକର ଜମିରେ ଫୁଲକୋବି ଚାଷ କରିଥିଲେ । କିନ୍ତୁ ଲଘୁଚାପ ବର୍ଷା ଓ କୋହଲା ପାଗ ଯୋଗୁଁ ଫସଲରେ ପୋକ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ବିଭୂତି ନିଜ ଚାଷ ଜମିକୁ ଯାଇ କୋବି ଫସଲ ନଷ୍ଟ ହେବା ଦେଖି ଚାଷ ଜମି ନିକଟରେ ଥିବା ଏକ ଆମ୍ବ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଫୁଲ କୋବି ଚାଷ ପାଇଁ ବିଭୂତି କିଛି ଘରୋଇ ଗ୍ରୁପଗୁଡ଼ିକରୁ ଋଣ ନେଇଥିବା ସହିତ  କିଛି ସାହୁକାରଙ୍କଠାରୁ ମଧ୍ୟ ହାତ ଉଦ୍ଧାର ନେଇଥିଲେ । ଫସଲ ନଷ୍ଟ ହେବା ପରେ ଏତେ ଗୁଡ଼ିଏ ଋଣ ଟଙ୍କା କିଭଳି ଶୁଝିବେ ବୋଲି ଚିନ୍ତାରେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ତାଙ୍କ ପରିବାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.