ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଫସଲ, ଋଣ ଭାର ସହିନପାରି ଆତ୍ମହତ୍ୟା କଲେ ଚାଷୀ !

Published By : Prameya-News7 Bureau | August 23, 2022 IST

ବୋରିଗୁମ୍ମା ୨୩।୮: କୋରାପୁଟ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଲଗାଣ ବର୍ଷାରେ ଚାଷ ନଷ୍ଟ ହୋଇଯିବା ଯୋଗୁଁ ଋଣ ଭାର ସହିନପାରି ଚାଷୀ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନକୁଳଗୁଡା ଗ୍ରାମର ୬୫ ବର୍ଷ ବୟସ୍କ ଡୁମୋର ହରିଜନଙ୍କ ଏକରେ ଜମି ଥିଲା । ସେ ଅନ୍ୟ ଲୋକଙ୍କ ଜମିରେ ଭାଗ ଚାଷ ମଧ୍ୟ କରୁଥିଲେ ।କିଛି ଲୋକଙ୍କଠାରୁ ହାତ ଉଦ୍ଧାର କରି ଚାଷ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିଥିଲେ ।ହେଲେ ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷ କ୍ଷୟକ୍ଷତି ହୋଇଛି । ଡୁମୋର ହରିଜନଙ୍କ ଜମି ନାଳ ପାଖରେ ଥିବା ଯୋଗୁଁ ଜମିରେ ପାଣି ମାଡ଼ି ଆସିଥିଲା । ଫଳରେ ଚାଷ ନଷ୍ଟ ହୋଇଥିଲା । ତେବେ କେମିତି ଋଣ ସୁଝିବେ ତାକୁ ନେଇ ସେ ମାନସିକ ଚାପରେ ରହୁଥିଲେ । ତେବେ ଗତ ରବିବାର ଦିନ ଜମିକୁ ଯାଇଥିବା ବେଳେ ବାନ୍ତି କରି କରି ଘରକୁ ଫେରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ବୋରିଗୁମ୍ମା ମେଡ଼ିକାଲରେ ଚିକିତ୍ସା କରାଇଥିଲେ । କିନ୍ତୁ ସୋମବାର ସନ୍ଧ୍ୟାରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରିବାର ପକ୍ଷରୁ ସରକାରୀର ସହାୟତା ପାଇଁ ଅନୁରୋଧ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.