ତୋରଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ସାର୍‌ଙ୍କୁ ନେଇ ପୁରୁଣା ସ୍ମୃତି ମନେପକାଇଲେ ପୁରାତନ ଛାତ୍ର

Published By : Prameya-News7 Bureau | September 02, 2024 IST

ରସୁଲପୁର: ଯାଜପୁର ରସୁଲପୁର ଅନ୍ତର୍ଗତ ତୋରଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ତୋରଡ଼ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୧ ବର୍ଷର ଶିକ୍ଷକତା ପରେ ବିଦାୟ ନେଇଛନ୍ତି ଶ୍ରୀସାହୁ। ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ରସୁଲପୁର ବିଇଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ନିକଟସ୍ଥ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ଏହି ବିଦାୟ ଉତ୍ସବକୁ ସ୍ମରଣୀୟ କରାଇଛନ୍ତି ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀ ।

କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ ସୂର୍ଯ୍ୟ ନମସ୍କାର ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ ମୁଖ୍ୟବକ୍ତା ଦାୟିତ୍ୱବାନ୍ କାର୍ଯ୍ୟ ଏବଂ ପିଲାମାନଙ୍କୁ ଶୃଙ୍ଖଳା ସହିତ ବିଦ୍ୟାଳୟକୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ ଶ୍ରୀଯୁକ୍ତ ସାହୁଙ୍କ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଅତିଥି ମଧ୍ୟ କୋହଭରା ସ୍ୱରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିଦ୍ୟାଳୟରୁ ଶିକ୍ଷା ଶେଷ କରି ସାରିଥିବା ପୁରାତନ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ଜୀବନରେ ଶ୍ରୀଯୁକ୍ତ ସାହୁଙ୍କ ଭୂମିକା ଏବଂ ସ୍କୁଲରେ ବିତାଇଥିବା ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନିରଞ୍ଜନ ଶତପଥୀ ମଞ୍ଚ ପରିଚାଳନା କରିଥିଲେ ।

ପ୍ରଧାନଶିକ୍ଷକଙ୍କ ଅବସରରେ ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଭାବବିହ୍ବଳ ହୋଇଯାଇଥିଲେ । ମଞ୍ଚରେ ସମ୍ବର୍ଦ୍ଧନା ଜଣାଇବା ପରେ ଶହ ଶହ ଛାତ୍ରଛାତ୍ରୀଙ୍କ ମେଳରେ ଏକ ବିଶାଳ ଶୋଭାଯାତ୍ରା କରି ଶ୍ରୀଯୁକ୍ତ ସାହୁଙ୍କୁ ନଗର ପରିଭ୍ରମଣ କରାଯାଇଇଥିଲା । ଏହି ପରିଭ୍ରମଣ ସମୟରେ ୫ ଖଣ୍ଡ ଗ୍ରାମ ବୁଲି ଶ୍ରୀଯୁକ୍ତ ସାହୁ, ନିଜ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ପାଖରୁ ମଧ୍ୟ ବିଦାୟ ନେଇଛନ୍ତି । ଏହାପରେ ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମହୋଦୟଙ୍କୁ ନେଇ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.