ବିଶିଷ୍ଟ ତବଲା ବାଦକ ଉମେଶ କରଙ୍କ ପରଲୋକ; ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଥିଲା ଅତୁଳନୀୟ ଅବଦାନ
8/12/2022 at 7:06 PM

ଭୁବନେଶ୍ୱର ୦୮/୧୨: ଆରପାରିରେ ଶ୍ରେଷ୍ଠ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର। ୭୩ ବର୍ଷରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ତାଙ୍କର ଶାସ୍ତ୍ରୀୟ ସଙ୍ଗୀତରେ ତବଲା ବାଦନ କ୍ଷେତ୍ରରେ ଅବଦାନ ବଳିଷ୍ଠ ରହିଥିଲା। ଗୁରୁବାର ତାଙ୍କ ମୃତ୍ୟୁ ପରେ କଳା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କର ତବଲାର ସୁମଧୁର ବାଦନ ଶୈଳି ଓ ଶବ୍ଦ ଆଉ ଦର୍ଶକ ଓ ଶ୍ରୋତମାନେ ଶୁଣିପାରିବେନି।
ଖବର ଅନୁସାରେ, ଭୁବନେଶ୍ଵର ଚନ୍ଦ୍ରଶେଖପୁରରେ ଥିବା ତାଙ୍କ ଘରେ ଶେଷଦର୍ଶନ ପାଇଁ ଅନେକଙ୍କ ଭିଡ଼ ଲାଗିଥିଲା। ସେ ତବଲା ବଜାଇ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଦେଶ ବିଦେଶରେ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ବହୁ ଖ୍ୟାତି ଲାଭ କରିଛନ୍ତି। ଏହା ସହିତ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ତାଙ୍କ ପାଖରୁ ଅନେକ ସୁନାମଧନ୍ୟ ତବଲାବାଦକ ଶିକ୍ଷା ନେଇଛନ୍ତି। ତାଙ୍କ ମୃତ୍ୟୁରେ ଶାସ୍ତ୍ରୀୟ ସଙ୍ଗୀତ ଓ କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।