ପରଲୋକରେ ପ୍ରସିଦ୍ଧ ଲେଖକ ରସରାଜ ନାରାୟଣ ପ୍ରସାଦ ସିଂହ

Published By : Prameya-News7 Bureau | June 06, 2018 IST

ପରଲୋକରେ ରସରାଜ ନାରାୟଣ ପ୍ରସାଦ ସିଂହ । ୮୬ ବର୍ଷ ବୟସରେ ଭୁବନେଶ୍ବର ମଞ୍ଚେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ପ୍ରସିଦ୍ଧ କବି,ଗୀତିକାର, ଲେଖକ ।ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଶତାଧିକ ଓଡିଆ ସିନେମାର ସଫଳ ଗୀତିକାର ଭାବେ ଅନେକ ପ୍ରଶଂସା ସାଉଁଟିଛନ୍ତି ଏହି ମହାନ ସାହିତ୍ୟ ସାଧକ ।୧୯୩୩ ମସିହାରେ କଟକ ଜିଲ୍ଲା ଅସୁରେଶ୍ୱରର କୋଇଲୋ ଗାଁରେ ଜନ୍ମ ନାରାୟଣ ପ୍ରସାଦ ସ୍କୁଲ ଜୀବନରେ ହିଁ ଗାତ ଲେଖିବା ଆରମ୍ଭ କରିଥିଲେ ।ତାଙ୍କ ପ୍ରତିଭା ଥିଲା ଅନନ୍ୟ । ଆଉ ସେହି ପ୍ରତିଭା ଲାଗି ତାଙ୍କୁ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଡାକୁଥିଲେ ରସରାଜ । ତାହାହିଁ ପରବର୍ଥ୍ତୀ ସମୟରେ ତାଙ୍କର ଉପାଧି ଓ ନାମ ପାଲଟିଯାଇଥିଲା । ୧୯୬୨ରୁ ୧୯୭୦ ପର୍ଯ୍ୟନ୍ତ ଓଡିଆ ସିନେମା ଜଗତରେ ରସରାଜଙ୍କ ଗୀତର ଥିଲା ରାଜ୍ । ନୂଆ ବୋହୂ ଥିଲା ଗୀତିକାର ନାରାୟଣ ପ୍ରସାଦ ସିଂହଙ୍କ ପ୍ରଥମ ସିନେମା । ସେହି ସିନେମାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ସଫଳତାର ଯାତ୍ରା ।ଏହାପରେ ମାଣିକ ଯୋଡ଼ି, ନବ ଜନ୍ମା, କିଏ କାହାର, ଭାଇ ଭାଉଜ,ମାଣିକ ଯୋଡି, ସ୍ତ୍ରୀ, ଧରିତ୍ରୀ ,ଶଂଖ ମହୁରୀ, ଅମଡ଼ା ବାଟ, ଅଦିନ ମେଘ, ଅଭିନେତ୍ରୀ, ମଥୁରା ବିଜୟ, ସାଗର, କାବେରୀ ଆଦି ଅନେକ ସିନେମାର ଗୀତରେ ଜୀବନର ସ୍ପର୍ଶ ଦେଇଛନ୍ତି ଗୀତିକାର ନାରାୟଣ ପ୍ରସାଦ ସିଂହ ।ଅନେକ ଗୀତ ସଂକଳନର ରଚୟିତା ଭାବେ ରସରାଜ ଅନେକ ପ୍ରସିଦ୍ଧି ବି ହାସଲ କରିଛନ୍ତି । ଜୀବନ ଯମୁନାରେ ଜୁଆର ଉଠେରେ ଗୀତର ଏହି ମହାନ ରଚୟୀତା ସମୟର ଜୁଆରରେ ଆଜି ସ୍ୱର୍ଗକୁ ଭାସିଯାଇଥିଲେ ବି ଓଡିଆ ଗୀତ ପ୍ରେମୀଙ୍କ ହୃଦୟରେ ଏକ ସ୍ଥାୟୀ ସିଂହାସନ ଟିଏ କେବେଠୁ ଦଖଲ କରିନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.