ପ୍ରେମ ପାଇଁ ଜୀବନ ଗଲା : ଘରୁ ଲୁଚି ଆସି ପ୍ରେମିକଙ୍କୁ କରିଥିଲେ ବିବାହ, ଘରଲୋକେ ମାରି ଭସାଇଦେଲେ ନାଳରେ
22/02/2020 at 12:13 PM

ନୂଆଦିଲ୍ଲୀ ୨୨।୨: ଦିଲ୍ଲୀ ନ୍ୟୁ ଅଶୋକ ନଗରରେ ଅନର କିଲିଂ ଅଭିଯୋଗ ହୋଇଛି। ପ୍ରେମ ବିବାହକୁ ବିରୋଧ କରି ଝିଅକୁ ହତ୍ୟା କରିଛନ୍ତି ପରିବାରଲୋକ। ହତ୍ୟା କରିବା ପରେ ମୃତଦେହକୁ ୮୦ କିଲୋମିଟର ଦୂର ଉତ୍ତର ପ୍ରଦେଶ ଆଲିଗଡ ଜିଲ୍ଲାର ଜାଭା କେନାଲରେ ଫିଙ୍ଗି ଦେଇଥିଲେ ପରିବାର ଲୋକ। ଯୁବତୀଙ୍କ ପ୍ରେମିକ ଯୁବତୀ ନିଖୋଜ ହୋଇଥିବା ନେଇ ପୋଲିସ ଥାନାରେ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟା ଅଭିଯୋଗରେ ପୋଲିସ ଯୁବତୀଙ୍କ ମା’ ସୁମନ, ବାପା ରବୀନ୍ଦ୍ର, ବଡବାପା ସଞ୍ଜୟ, ପିଉସା ଓମ୍ ପ୍ରକାଶ, ପିଉସାଙ୍କ ପୁଅ ପରଓ୍ବେଶକୁ ଗିରଫ କରିଛି।
ସୂଚନାଯୋଗ୍ୟ ଯେ, ରବୀନ୍ଦ୍ର ଚୌଧରୀ ନିଜର ପରିବାର ସହିତ ନ୍ୟୁ ଅଶୋକ ନଗରରେ ରହୁଥିଲେ। ତାଙ୍କ ଝିଅ ଶୀତଲ ଚୌଧରୀଙ୍କର ପଡୋଶୀ ଅଙ୍କିତ ଭାଟିଙ୍କ ସହ ପ୍ରେମ ସଂପର୍କ ଥିଲା । ଉଭୟଙ୍କ ମଧ୍ୟରେ ପ୍ରାୟ ୩ ବର୍ଷ ହେବପ୍ରେମ ସମ୍ପର୍କ ରହିଥିଲା । ଗତ ବର୍ଷ ଅକ୍ଟୋବର ମାସରେ ଉଭୟ ଘରୁ ଲୁଚି ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ।
ଶୀତଲ ବିବାହ କରିଥିବା ଖବର ପରିବାର ଲୋକ ଜାଣିବା ପରେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ଶୀତଲ ଘର ଲୋକଙ୍କର କୌଣସି କଥା ଶୁଣିନଥିଲେ । ଫଳରେ ପରିବାର ଲୋକ ଗତ ୧୮ ଜାନୁଆରୀ ରାତିରେ ତଣ୍ଟି ଚିପି ହତ୍ୟା କରିଦେଇଥିଲେ। ଶୀତଲଙ୍କୁ ହତ୍ୟା କରିବା ପରେ ତାଙ୍କ ଶବକୁ ୮୦ କିଲୋମିଟର ଦୂର ଉତ୍ତର ପ୍ରଦେଶ ଆଲିଗଡ ଜିଲ୍ଲାର ଜାଭା କେନାଲରେ ଫିଙ୍ଗି ଦେଇଥିଲେ ଘରୁ ଫେରି ଆସିଥିଲେ ପରିବାର ଲୋକ ।

ଶୀତଙ୍କ ପ୍ରେମିକ ଅଙ୍କିତ ତାଙ୍କୁ ଅନେକ ଥର ଫୋନ୍ କରିଥିଲେ। କିନ୍ତୁ ତାଙ୍କର ଫୋନ୍ ବନ୍ଦ ଆସୁଥିଲା । ଶୀତଲଙ୍କ ସହ ଯୋଗାଯୋଗ ନହେବାରୁ ଅଙ୍କିତ ନ୍ୟୁ ଅଶୋକ ନଗର ଥାନାରେ ଅପହରଣ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଶୀତଲଙ୍କ ଘରକୁ ଯାଇ ପଚରାଉଚରା କରିଥିଲା । ଘରଲୋକ କହିଥିଲେ ଯେ, ଶୀତଲ ତାଙ୍କ ପିଉସୀ ଘରକୁ ଯାଇଛି। ପୋଲିସ ପିଉସୀ ଘରକୁ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ପାଇନଥିଲା।
ପରେ ଶୀତଲଙ୍କ ପରିବାର ଲୋକଙ୍କ କଲ୍ ରେକର୍ଡ ଯାଞ୍ଚ କରିଥିଲା ପୋଲିସ। ଫଳରେ ପରିବାର ଲୋକଙ୍କ ଉପରେ ପୋଲିସର ସନ୍ଦେହ ବଢିଥିଲା । ସନ୍ଦେହରେ ପୋଲିସ ପୁଣି ଥରେ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ଗୁମର ଫିଟିଥିଲା । ଫଳରେ ଦିଲ୍ଲୀ ପୋଲିସ ଆଲିଗଡ ପୋଲିସ ସହିତ ଯୋଗାଯୋଗ କରିଥିଲା । ଆଲିଗଡ ପୋଲିସ ସୂଚନା ଦେଇଥିଲା ଯେ, ଜାନୁଆରୀ ୩୦ତାରିଖରେ ଗୋଟିଏ ମୃତଦେହ ମିଳିଥିଲା । ଯାହାର ଚିହ୍ନଟ ନହେବା କାରଣରୁ ଫେବୃଆରୀ ୨ତାରିଖରେ ଶେଷକୃତ୍ୟ କରିଦିଆଯାଇଥିଲା। ମୃତକଙ୍କ ପୋଷାକ, କିଛି ଜିନିଷ ଏବଂ ଫଟୋ ଆଧାରରେ ଦିଲ୍ଲୀ ପୋଲିସ ସେହି ମୃତଦେହଟି ଶୀତଲଙ୍କର ବୋଲି ଚିହ୍ନଟ କରିଥିଲା।
ପରିବାରଲୋକଙ୍କୁ ପଚରା ଉଚରା ପରେ ଘଟଣା ସ୍ପଷ୍ଟ ହୋଇଥିଲା । ଶୀତଲଙ୍କ ପରିବାରଲୋକ ତାଙ୍କୁ ହତ୍ୟା କରିବା ପରେ ଏକ କାରରେ ତାଙ୍କୁ ବସାଇ ନେଇ ଯାଇଥିଲେ । ସେଠାରେ ଫିଙ୍ଗିବା ପରେ ଘରକୁ ଫେରିଆସିଥିଲେ । ତେବେ ପୋଲିସ ଅଭିଯୁକ୍ତ, ବାପା, ମା’, ବଡବାପା, ପିଉସା ଏବଂ ପିଉସା ପୁଅକୁ ଗିରଫ କରି ଜେଲ୍ ପଠାଇଦେଇଛି ।