ଘରୋଇ କଳହକୁ ନେଇ ଆକ୍ରମଣ, ଭାଇକୁ ହାଣିଲା ଭାଇ
18/09/2023 at 10:02 AM

ଜଳେଶ୍ୱର ୧୮।୦୯ : ଭାଇକୁ ହାଣିଲା ଭାଇ । ଘରୋଇ କଳହକୁ କେନ୍ଦ୍ର କରି କଟୁରୀରେ ଆକ୍ରମଣ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ୱର ଜିଲ୍ଲା ଲଙ୍ଗେଳଶ୍ୱର ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଲଙ୍ଗଳେଶ୍ବର ଗାଁର ସୁଶାନ୍ତ ଗିରି ରବିବାର ସଂଧ୍ୟାରେ କୌଣସି କଥାକୁ ନେଇ ତାଙ୍କ ମାଙ୍କ ସହ ଝଗଡା ହୋଇ ଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସୁଶାନ୍ତ ତାଙ୍କ ମାଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୁଣ୍ଡକୁ ଏକ କଟୁରୀରେ ହାଣି ଦେଇଥିଲେ । ମାଙ୍କୁ ଉଦ୍ଧାର କରିବାକୁ ଯାଇ ସୁଶାନ୍ତଙ୍କ ଭାଉଜ କବିତା ଗିରି ମଧ୍ୟ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ମା ସାବିତ୍ରୀ ଗିରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରୁଥିବା ବେଳେ ବଡ ଭାଇ ଗୋପାଳ ଗିରି ପହଞ୍ଚି ସୁଶାନ୍ତଙ୍କୁ କଣ ପାଇଁ ଆକ୍ରମଣ କଲୁ ପଚାରିବାରୁ ସେ ଗୋପାଳଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ।

ଗୋପାଳ ଉତକ୍ଷିପ୍ତ ହୋଇ ଏକ ଧାରୁଆ କଟୁରୀରେ ସୁଶାନ୍ତଙ୍କ ମୁଣ୍ତକୁ ହାଣି ଦେଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଲଙ୍ଗଳେଶ୍ବର ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । ଖବର ପାଇ ସିଂଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋପାଳ ଗିରିଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ।