ପୁରୀ ନକଲି ଶଙ୍କରାଚାର୍ଯ୍ୟ, ବିରୋଧ ପ୍ରଦର୍ଶନ ପରେ ସହର ବାହାରକୁ ବିଦା କଲା ପ୍ରଶାସନ
16/05/2022 at 2:50 PM

ପୁରୀ ୧୬।୦୫: ନିଜକୁ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ଯକ୍ଷାନନ୍ଦ ଦେବତୀର୍ଥ ଶଙ୍କରାଚାର୍ଯ୍ୟଙ୍କୁ ପୁରୀରେ ବିରୋଧ । ସେ ହାୱାଡା-ପୁରୀ ଟ୍ରେନରେ ଆସି ପୁରୀରେ ପହଞ୍ଚିବା ପରେ ଆଦିତ୍ୟ ବାହିନୀ ଓ ଗୋବର୍ଦ୍ଧନ ପୀଠର କର୍ମକର୍ତ୍ତା ମାନେ ବିରୋଧ ଓ ନାରାବାଜି ପ୍ରଦର୍ଶନ କରିଥିଲେ।

ତେବେ ନିଜକୁ ପୁରୀ ଶଙ୍କରାଚାର୍ଯ୍ୟ କହି ରେଳବାଇର ସୁବିଧା ନେଇ ଜିଆରପିର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ତେଣୁ ଏଭଳି ନକଲି ଶଙ୍କରାଚାର୍ଯ୍ୟ ଧର୍ମ ନାମରେ ଅଧର୍ମ ଓ ହିନ୍ଦୁମାନଙ୍କ ଭାବନା ସହ ଖେଳୁଥିବାରୁ ପୁରୀ ଧାମରେ ପୁରାଇ ଦିଆଯିବ ନାହିଁ ବୋଲି ବିରୋଧ କରାଯାଇଥିଲା। ଏଭଳି ଅଭାବନୀୟ ସ୍ଥିତିକୁ ନେଇ ରେଳ ଷ୍ଟେସନରେ ପ୍ରାୟ ଅଧଘଣ୍ଟା ଧରି ଅଧକ୍ଷାନନ୍ଦ ଦେବତୀର୍ଥକୁ ଅଟକ ରଖିଥିଲେ ଆନ୍ଦୋଳନକାରୀ। ଏହାକୁ ନେଇ ଜିଆରପି, ଆରପିଏଫ ଓ ପୁରୀ ପୋଲିସ ମିଳିତ ସୁରକ୍ଷା ଦେଇ ତାଙ୍କ ପୁରୀ ସହର ବାହାର ବେଲେଶ୍ୱର ଆଶ୍ରମକୁ ପଠାଇଛନ୍ତି। ଆଦିତ୍ୟ ବାହିନୀ ଗୋବର୍ଦ୍ଧନ ମଠ ପକ୍ଷରୁ ଜିଆରପି ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି।

ସେପଟେ ୧୯୯୬ ରୁ ୨୦୦୦ ମସିହା ଭିତରେ ଏହି ବିବାଦ ଉଗ୍ରରୂପ ନେଇଥିବାରୁ ହାଇକୋର୍ଟରେ ଏହି ମାମଲା ରହିଛି। ସେହି ସମୟରେ ପୁରୀରେ ଧାର୍ମିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇ ତାଙ୍କୁ ତଡ଼ିପାର କରାଯାଇଥିଲା। ଆଜି ଧର୍ମ ପ୍ରଚାର ପାଇଁ ଆସିଥିବା କହିଛନ୍ତି ଅଧକ୍ଷାନନ୍ଦ ଦେବା ତୀର୍ଥ।