ସ୍ତ୍ରୀ-420 : ନିଜେ ନିଜକୁ ଅପହରଣ କରି ସ୍ବାମୀଙ୍କୁ ମାଗିଲା ମୋଟା ଅଙ୍କର ଟଙ୍କା, ଏମିତି ଖୁଲାସା କଲା ପୋଲିସ

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ ୨୭/୧୦ : ସ୍ବାମୀ-ସ୍ତ୍ରୀ ଙ୍କ ସମ୍ପର୍କକୁ ନେଇ ଅନେକ ସମୟର ଅଜବ ଖବର ଆସେ । ଏମିତି କି ବ୍ଲାକ୍‌ମେଲିଂ ଏବଂ ହତ୍ୟା କରିବା ଭଳି ସଙ୍ଗୀନ ମାମଲା​‌ ପ୍ରାୟ ପ୍ରତିଦିନ ଦେଖିବାକୁ ମିଳେ । କେବଳ ସ୍ବାମୀ ନୁହେଁ ଅନେକ ସମୟରେ ନିଜ ପତ୍ନୀ ବି ସାଂଘାତିକ କାମ କରିବସନ୍ତି । ଏଭଳି ଏକ ଚକିତ କରିବା ଭଳି ମାମଲା ସାମ୍ନାକୁ ଆସିଛି । ସ୍ପେନ୍‌ର ଜଣେ ମହିଳା ନିଜେ ନିଜକୁ ଅପହରଣ କରିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଭଳି ଘଟଣା ଗଣମାଧ୍ୟମରେ ଶିରୋନାମା ପାଲଟିଛି । ସମ୍ପତ୍ତି ଲୋଭ​‌ରେ ଜଣେ ମହିଳା ନିଜକୁ ଅପହରଣ କରି ନିଖୋଜ ଡ୍ରାମା କରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ମହିଳା ଜଣକ ଖୁବ ଜୁଆ ଖେଳନ୍ତି ଏବଂ ପୁରାପୁରି ଭାବେ ଅଭ୍ୟାସରେ ପଡିଯାଇଥିଲେ । ତେବେ କୌଣସି କାରଣରୁ ତାଙ୍କ ସ୍ବାମୀଙ୍କ ଦେହ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ଏହାର ଫାଇଦା ନେଇ ମହିଳା ଜଣକ ଟଙ୍କା ଆଦାୟ କରିବା ପାଇଁ କରିଥିଲେ ମାଷ୍ଟର ପ୍ଲାନ୍ । ହସ୍ପିଟାଲ ବେଡ୍‌ରେ ପଡିଥିବା ସ୍ବାମୀଙ୍କ ଫୋନ କରି କହିଥିଲେ ଯେ, ତାଙ୍କୁ କିଛି ଲୋକ ଅପହରଣ କରିନେଇଛନ୍ତି ଏବଂ ଛାଡିବା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ମାଗୁଛନ୍ତି । ଏହାପରେ ବ୍ୟକ୍ତିଜଣକ ୫ ଲକ୍ଷ ଟଙ୍କା ଯୋଗାଡ କରି ପଠାଇଥି​ଲେ ।

ମହିଳାଙ୍କ ସ୍ୱାମୀ ଏ ନେଇ ପ୍ରଥମେ ପୋଲିସକୁ ଜଣାଇଥିଲେ । ପୋଲିସ ଏକ ପ୍ଲାନ୍‌ ପ୍ରସ୍ତୁତ କରି ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଯାଇଥିଲେ । ମହିଳାଙ୍କ ମୋବାଇଲ ଫୋନକୁ ମଧ୍ୟ ଟ୍ରାକ୍‌ କରୁଥିଲା ପୋଲିସ । ଯେଉଁ ସ୍ଥାନକୁ ଟଙ୍କା ନେବାକୁ କହିଥିଲେ ସେଠାରେ ପୋଲିସ ପହଞ୍ଚିଯାଇଥିଲା । ମହିଳାଜଣକ ଟଙ୍କା ନେଇ ଏକ ମଲ୍‌ରେ ପଶୁଥିବା ବେଳେ ତାଙ୍କୁ କାବୁ କରିନେଇଥିଲା ପୋଲିସ । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ମହିଳାଜଣକ ଟଙ୍କା ଲୋଭରେ ନିଜେ ନିଜକୁ କିଡ୍‌ନାପ କରିଥିଲେ ଏବଂ ନିଜ ସ୍ବାମୀଙ୍କୁ ଭୂଆଁ ବୁଲାଇ ଟଙ୍କା ଆଦାୟ କରିବା ପାଇଁ ଏସବୁ ନାଟକ ରଚିଥିଲେ ।  

ପୋଲିସ ପୂରା ଘଟଣା ବାବଦରେ ହସ୍ପିଟାଲ ବେଡ୍‌ରେ ପଡିଥିବା ମହିଳାଙ୍କ ସ୍ବାମୀଙ୍କୁ ମଧ୍ୟ କହିଥିଲେ । ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିବା ପରେ ଅବଶ୍ୟ ତାଙ୍କୁ ଜାମିନ ମିଳିଯାଇଛି । କିନ୍ତୁ ମାମଲା କୋର୍ଟରେ ଜାରି ରହିବ ବୋଲି ପୋଲିସ କହିଛି । ତେବେ ଅପହରଣ ଘଟଣାରେ ଆଉ କିଛି ବ୍ୟକ୍ତି ମଧ୍ୟ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ସେପଟେ ମହିଳାଜଣକ କିନ୍ତୁ ଅପହରଣ ନାଟକ ନିଜେ ରଚିଥିବା କଥା ମାନିବାକୁ ନାରାଜ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.