ବିଫଳ ହେଲା ପ୍ରଶାସନର ଜମି ବିବାଦ ସମାଧାନ ଉଦ୍ୟମ, ଗୋଚରଜମିରେ ଫଳଗଛ ଲଗାଇବା ନିଷ୍ପତ୍ତିକୁ ଗ୍ରାମବାସୀଙ୍କ ପ୍ରତ୍ୟାଖାନ

Published By : Prameya-News7 Bureau | December 05, 2020 IST

ସାନଖେମୁଣ୍ଡି ୦୫।୧୨: ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ରାଜସ୍ବସର୍କଲ ଅଧୀନରେ ଥିବା ସାମନ୍ତରାପୁର ମୌଜାରେ ଥିବା ସମସ୍ତ ଗୋଚର କିସମ ଜମିରେ ଚାଷ କରିବାକୁ ନେଇ ଉପୁଜିଛି ବିବାଦ। ଏହାକୁ କେନ୍ଦ୍ରକରି ସାମନ୍ତରାପୁର, ଜାନକାପଲ୍ଲି, ବତାଗଡ଼ ପୋଡ଼ାମାରି ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଅନ୍ୟପଟେ ତହସିଲ ପ୍ରଶାସନ ପକ୍ଷରୁ ଆଜି ଶାନ୍ତି କମିଟି ବୈଠକ ମାଧ୍ୟମରେ ସମାଧାନ କରିବା ପାଇଁ ଉଦ୍ୟମ କରାଯାଇଛି। ହେଲେ ଜାନକାପଲ୍ଲି ଗ୍ରାମବାସୀଙ୍କ ଜିଦ୍ ଯୋଗୁଁ ସମାଧାନ ଉଦ୍ୟମ ବିଫଳ ହୋଇଥିବା ସୂଚନା ମିଳିଛି।

ସାମନ୍ତରାପୁର ମୌଜାରେ ଥିବା ପ୍ରାୟ ୧୦୦ ଏକର ଗୋଚର ଜମିର ସିଂହଭାଗ ଗୋଚର ଜମିକୁ ସାମନ୍ତରାପୁର ଗ୍ରାମର ୪୫ ପରିବାର ବେଆଇନ ଜବରଦଖଲ କରି ଚାଷ କରୁଥିବା ବେଳେ ଜାନକାପଲ୍ଲି , ବତାଗଡ଼ ପୋଡ଼ାମାରି ଗ୍ରାମର କିଛି ଜମିହୀନ ପରିବାର ଆଇନଗତ ଆବେଦନ କରି ଏହି ଜମିରେ ଗତ ୧୫୦ ବର୍ଷ ପୂର୍ବ ପିତୃଅମଳରୁ ଚାଷ କରି ଜୀବିକା ନିର୍ବାହ କରି ଆସୁଥିଲେ। ତେବେ ଚଳିତବର୍ଷ  ଧାନ ମକା ଓ ପରିବା ଫସଲ ଲଗାଇବା ଆରମ୍ଭରୁ ଅନ୍ୟ ୩ ଖଣ୍ଡ ଗ୍ରାମର ଚାଷୀଙ୍କୁ ସାମନ୍ତରାପୁର ଗ୍ରାମବାସୀ ବିରୋଧ କରିବା ସହ ଲଗାଯାଇଥିବା ଫସଲ ନଷ୍ଟ କରାଯାଇଥିଲା।

ଏହି ଜମିଜମା ବିବାଦ ଉଗ୍ରରୂପ ଧାରଣ ସହ ଥାନା ପର୍ଯ୍ୟନ୍ତ ଯାଇଛି। ଉକ୍ତ ଜମିରେ ୧୪୪ ଧାରା ମଧ୍ୟ ଲଗାଯାଇଥିଲା। ଆଜି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ପକ୍ଷରୁ ଆଜି ସାମନ୍ତରାପୁର ଗ୍ରାମରେ ସମସ୍ତ ଗ୍ରାମବାସୀଙ୍କୁ ନେଇ ଶାନ୍ତିବୈଠକ ହୋଇଥିବାବେଳେ କୌଣସି ସାମୁହିକ ନିଷ୍ପତ୍ତିକୁ ସାମନ୍ତରାପୁର ଗ୍ରାମବାସୀ ମାନିନଥିଲେ ବୋଲି ଜଣାପଡିଛି। ନିଜ ଗାଁନାମରେ  ଥିବା  ମୌଜାର ଗୋଚର ଜମିରେ ଅନ୍ୟ ଗାଁ ଲୋକ ତଥା କାହାରିକୁ ବି ଛଡାଯିବ ନାହିଁ ବୋଲି ଜିଦ ଧରିଥିଲେ। ଗୋଚରଜମି ପ୍ରଶାସନ ପକ୍ଷରୁ ଫଳନ୍ତିଗଛ ଲଗାଇବା ନିଷ୍ପତ୍ତିରେ ୩ଟି ଗ୍ରାମବାସୀ ସମ୍ମତି ଜଣାଇଥିବାବେଳେ ଜାନକାପଲ୍ଲି ଗ୍ରାମବାସୀ ସମାଧାନ ପତ୍ରରେ ଦସ୍ତଖତ ନ କରି ବୈଠକ ଛାଡ଼ି ଚାଲିଯାଇଥିଲେ ବୋଲି ଜଣାପଡିଛି।

ଦୀର୍ଘଦିନ ଧରି ଏଠାରେ ଲାଗି ରହିଥିବା ଜମିଜମା ବିବାଦର ସମାଧାନ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଜାନକାପଲ୍ଲି ଗ୍ରାମବାସୀ କୌଣସି ନିଷ୍ପତ୍ତି ମାନିନଥିଲେ ଓ ଆଗାମୀ ଦିନରେ ପୁଣି ବୈଠକ ଡକାଯାଇ ସମାଧାନ କରାଯିବା ସହ ପଦକ୍ଷେପ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.