ନଡ୍ଡା କହିଲେ-ଫଡନବୀଶ ହେବେ ଉପମୁଖ୍ୟମନ୍ତ୍ରୀ
30/06/2022 at 7:16 PM

ନୂଆଦିଲ୍ଲୀ ୩୦।୬: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ରାଜ୍ୟରେ ମହାବିକାଶ ଅଘାଡି (ଏମଭିଏ) ମେଣ୍ଟର ପତନ ହୋଇଛି। ଅନ୍ୟପକ୍ଷରେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସିନ୍ଦେ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶ ଘୋଷଣା କରିଥିଲେ। ତେବେ ନିଜକୁ ସରକାରରୁ ବାହାରେ ରଖିବେ ବୋଲି କହିଥିଲେ ଫଡନବୀଶ । ତେବେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ସିନ୍ଦେଙ୍କ ସରକାରରେ ଫଡନବୀଶ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସନ୍ଧ୍ୟାରେ ଟ୍ୱିଟ୍ କରିଛନ୍ତି।
ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ଦେବେନ୍ଦ୍ର ଫଡନବୀଶ ନିଜକୁ ସରକାରରୁ ବାହରେ ରଖିବାର ନିଷ୍ପତ୍ତି ନେଇଥିଲେ। ମନେ କରାଯାଉଥିଲା ଫଡନବୀସ ତାଙ୍କ ବିଶାଳ ହୃଦୟର ପ୍ରମାଣ ଦେଇ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ସ୍ୱୀକାର କରି ନେଇଛନ୍ତି। ହେଲେ ଏବେ ଆସୁଥିବା ମିଡିଆ ରିପୋର୍ଟରୁ ଫଡନବୀଶ ସରକାରରୁ ଦୂରେଇ ରୁହନ୍ତୁ ତାହା ବିଜେପି ହାଇକମାଣ୍ଡଙ୍କୁ ମଞ୍ଜୁର ନୁହେଁ ବୋଲି କୁହାଯାଉଛି। ସିନ୍ଦେଙ୍କ କ୍ୟାବିନେଟରେ ତାଙ୍କୁ କୌଣସି ପ୍ରକାର ସାମିଲ ହେବା ଲାଗି ରାଜି କରାଯାଇଛି। ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ମହାରାଷ୍ଟ୍ର ନୂଆ ସରକାରରେ ଦେବେନ୍ଦ୍ର ଫଡନବୀଶ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି। ନଡ୍ଡା ନିଜେ ଟ୍ୱିଟ୍ କରି ତାଙ୍କର ବକ୍ତବ୍ୟ ରଖିଛନ୍ତି।
ବୁଧବାର ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନବୀଶ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ମନେ କରାଯାଉଥିଲା। ତେବେ ଓଲଫେର କରି ନିଜେ ଦେବେନ୍ଦ୍ର ଫଡନବୀଶ ସାମ୍ବାଦିକ ସମ୍ମିଳନୀରେ ଏକନାଥ ସିନ୍ଦେ ହିଁ ରାଜ୍ୟର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ। ଏଥିରେ ସିନ୍ଦେ ଆଜି( ଗୁରୁବାର) ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ବୋଲି ଫଡନବୀଶ ଘୋଷଣା କରିଛନ୍ତି। ଫଡନବୀଶ ଏହା ମଧ୍ୟ କହିଥିଲେ ଯେ ସିନ୍ଦେ ସରକାରଙ୍କୁ ସମର୍ଥନ ଦେବେ ହେଲେ ସରକାରରେ ସାମିଲ ହେବେନି। ତେବେ ଫଡନବୀଶଙ୍କ ନିଷ୍ପତ୍ତି ବିଜେପି ହାଇକମାଣ୍ଡଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ବିଜେପି ସଭାପତି ଜେ.ପି. ନଡ୍ଡା ଏକନାଥଙ୍କ ସରକାରରେ ଦେବେନ୍ଦ୍ର ଫଡନବୀଶ ଉପମୁଖ୍ୟମନ୍ତ୍ରୀ ରହିବା କଥା ବୋଲି କହିଛନ୍ତି।
ଜେ.ପି.ନଡ୍ଡା କହିଲେ କ’ଣ?
ବିଜେପି ସଭାପତି ଜେ.ପି.ନଡ୍ଡା ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ ଏକନାଥ ସିନ୍ଦେ ଜୀ ଓ ଦେବେନ୍ଦ୍ର ଫଡନବୀଶ ଜୀଙ୍କୁ ଶୁଭେଚ୍ଛା। ଆଜି ଏହା ପ୍ରମାଣିତ ହୋଇଛି ଯେ ବିଜେପି ମନରେ କେବେ ମୁଖ୍ୟମନ୍ତ୍ରୀ ପଦ ଲାଗି ଲାଳସା ନଥିଲା। ୨୦୧୯ ନିର୍ବାଚନରେ ନରେନ୍ଦ୍ର ମୋଦି ଜୀ ଓ ଫଡନବୀଶ ଜୀଙ୍କ ପ୍ରତି ଜନାଦେଶ ଥିଲା। ତେବେ ଉଦ୍ଧବ ଠାକରେଜୀ କ୍ଷମତା ମୋହରେ ଆମକୁ ଛାଡି ବିରୋଧୀଙ୍କ ସହ ସରକାର ଗଢିଥିଲେ। ନଡ୍ଡା କହିଛନ୍ତି ଯେ ମହାରାଷ୍ଟ୍ର ଜନତାଙ୍କ ଭଲ ପାଇଁ ବିଜେପି ବଡ ମନର ପରିଚୟ ଦେଇ ଏକନାଥ ସିନ୍ଦେଜୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦେବେନ୍ଦ୍ର ଫଡନବୀଶ ଜୀ ବଡ ମନରେ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।