'ଦେବେନ୍ଦ୍ର ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦରକାର', ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷଙ୍କ ବୟାନକୁ ନେଇ ରାଜନୀତି ଜୋର

Published By : Prameya-News7 Bureau | December 18, 2022 IST

ମୁମ୍ୱାଇ: ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବୱନକୁଲେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି । ରବିବାର ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି, ସେପର୍ଯ୍ୟନ୍ତ ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦରକାର । ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କ ବୟାନର କିଛି ମାସ ପରେ ବର୍ତ୍ତମାନର ପ୍ରଦେଶ ଅଧ୍ୟକ୍ଷ ଏହି ବୟାନ ଦେଇଛନ୍ତି । ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ଯେ ପାର୍ଟି ଭାରି ମନରେ ଫଡନଭିସଙ୍କ ପରିବର୍ତ୍ତେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ନିଷ୍ପତ୍ତି ନେଇଥିଲା ।

ଚନ୍ଦ୍ରକାନ୍ତ ପାଟିଲ ବର୍ତ୍ତମାନ ସମୟରେ ସିନ୍ଦେ ସରକାରରେ ମନ୍ତ୍ରୀ ଅଛନ୍ତି । ବୱନକୁଲେଙ୍କ ଏହି ବୟାନ ପରେ ରାଜ୍ୟର ବିରୋଧୀ ଦଳ ଗୁଡିକୁ ସରକାରଙ୍କୁ ଘେରିବାର ସୁଯୋଗ ମିଳିଛି । ଏନସିପି କହିଛି, ବିଜେପି ନଜରରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ କୌଣସି ମହତ୍ୱ ନାହିଁ ।

ମହାରାଷ୍ଟ୍ର ବିଧାନସଭାରେ ସବୁଠୁ ବଡ଼ ଦଳ ବିଜେପି ଚଳିତ ବର୍ଷ ଜୁନ ୩୦ରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଘୋଷଣା କରି ସଭିଙ୍କୁ ଚକିତ କରାଇଥିଲା । ଏହାପରେ ତତ୍କାଳୀନ ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ଯେ ଆମକୁ ଏପରି ଏକ ନେତା ଦେବାର ଆବଶ୍ୟକତା ଥିଲା ଯିଏ ଠିକ୍ ବାର୍ତ୍ତା ଏବଂ ସ୍ଥିରତା ସୁନିଶ୍ଚିତ କରିପାରିବ । କେନ୍ଦ୍ରୀୟ ନେତୃତ୍ୱ ଏବଂ ଦେବେନ୍ଦ୍ର ଜୀ ଗଭୀର ମନରେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଆମ ଖୁସି ନଥିଲୁ କିନ୍ତୁ ନେତୃତ୍ୱଙ୍କ ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ନିଷ୍ପତ୍ତି ନେଇଥିଲୁ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.