ଉଦ୍ଧବଙ୍କ ଚେତାବନୀ ପରେ ଫଡନବୀଶଙ୍କ ଜବାବ, କହିଲେ ଆଉ ଧମକାଅନି

Published By : Prameya-News7 Bureau | November 28, 2020 IST

ମୁମ୍ବାଇ ୨୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିରୋଧୀ ଦଳଙ୍କୁ ପ୍ରତିଷୋଧ ପରାୟଣ ରାଜନୀତିରୁ ଦୂରେଇ ରହିବାକୁ ଚେତାବନୀ ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବୀଶ ଉଦ୍ଧବଙ୍କୁ ନ ଧମକାଇବାକୁ ପରାମର୍ଶ ଦେଇଛନ୍ତି। ଏ ସବୁ ବଦଳେ ରାଜ୍ୟରେ କିପରି କରୋନା ଭାଇରସ ମହାମାରୀକୁ ହରାଯାଇପାରିବ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ। ଭଗବାନଙ୍କୁ ଧନ୍ୟବାଦ କରୋନା ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ମହାରାଷ୍ଟ୍ର ଆସି ନାହିଁ ବୋଲି କହିଛନ୍ତି ଫଡନବୀଶ।

ନିକଟରେ ଅମ୍ରୁତା ଫଡନବୀଶ ଓ ପ୍ରିୟଙ୍କା ଚତୁର୍ବେଦୀଙ୍କ ମଧ୍ୟରେ ହୋଇଥିବା ଟ୍ୱିଟ୍‌ ଲଢେଇ ପ୍ରସଙ୍ଗ ମଧ୍ୟ ଦେବେନ୍ଦ୍ର ଫଡନବୀଶ ଉଠାଇଛନ୍ତି। ସେ କହିଛନ୍ତି ଯେ ଆମେ କେବେ ବ୍ୟକ୍ତିଗତ ଆକ୍ରମଣ କରୁନା। ଯଦି ଏହି କଥା କୁହାଯାଏ ତେବେ ଶିବସେନା ନେତାମାନେ ମୋ ପତ୍ନୀଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରିଛନ୍ତି। ତଥାପି ବି ଘଟଣା ନେଇ ଏବେବି ଆମେ ନିରବତା ଅବଲମ୍ବନ କରୁଛୁ ବୋଲି ସେ କହିଛନ୍ତି।

ସେହିପରି ଫଡନବୀଶ ଅର୍ଣ୍ଣବ ଗୋସ୍ୱାମୀ ଓ କଙ୍ଗନା ରନାୱତଙ୍କ ପ୍ରସଙ୍ଗ ମଧ୍ୟ ରଖିଛନ୍ତି। କଙ୍ଗନା ଓ ଅର୍ଣ୍ଣବଙ୍କ ଭାବନା ଲାଗି ଆମେ ଦାୟିନୁହଁ ବୋଲି କହିଛନ୍ତି। ତେବେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କୁ ଦବାଇ ଦେବା ଉଦ୍ୟମକୁ ନିଶ୍ଚିତ ବିରୋଧ କରିବୁ ବୋଲି କହିଛନ୍ତି। ଏଣୁ ଅର୍ଣ୍ଣବ ମାମଲାରେ ସୁପ୍ରିମକୋର୍ଟ ଓ କଙ୍ଗନାଙ୍କ ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆମେ ଦେଖି ସାରିଛୁ ବୋଲି ସେ କହିଛନ୍ତି। ସରକାର ଗଣତନ୍ତ୍ରକୁ ଯେଉଁପରି ସମାପ୍ତ କରିବା ଲାଗି ଉଦ୍ୟମ କରୁଛନ୍ତି ତାକୁ ଆମେ ସମର୍ଥନ କରିପାରିବୁନି ବୋଲି କହିଛନ୍ତି ଫଡନବୀଶ।

ନିକଟରେ ଶିବସେନା ମୁଖପତ୍ର ‘ସାମ୍ନା’ରେ ଉଦ୍ଧବଙ୍କ ଏକ ସାକ୍ଷତକାର ପ୍ରକାଶିତ ହୋଇଥିଲା।  ଯେଉଁଥିରେ ସେ ତାଙ୍କୁ ଓ ତାଙ୍କ ପରିବାରକୁ ବିରୋଧୀ ଦଳ ଟାର୍ଗେଟ କରୁଥିବା ଅଭିଯୋଗ କରିଥିଲେ। ମହାରାଷ୍ଟ୍ର ମହାବିକାଶ ଅଘାଡିର ବାର୍ଷିକ ଅବସରରେ ଉଦ୍ଧବ ସାକ୍ଷାତକାରରେ ବିଜେପିକୁ ଖୋଲାଖୋଲି ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ମୁଁ ସଂଯମୀ ହେଲେ ଅଣପୁରୁଷ ନୁହେଁ। ଯଦି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଦ୍ୱାରା ଆମ ଉପରେ ଆକ୍ରମଣ ଜାରି ରହେ ତେବେ ଆମେ ବି ଚୁପ ବସିବୁନି। ଆମେ ଜଣକର ପ୍ରତିଷୋଧ ୧୦ ଜଣଙ୍କଠୁ ନେବୁ। ଆମେ ଏହା କରିବାକୁ ଚାହୁଁନୁ, ହେଲେ ଏଥିପାଇଁ ଆମକୁ ବାଧ୍ୟ କରା ନଯାଉ ବୋଲି ସେ କହିଥିଲେ। 

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତ ପ୍ରକରଣରେ ଉଦ୍ଧବ ଠାକରେଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଟାର୍ଗେଟ କରାଯାଇଥିଲା। ଏହା ଛଡା ଚଳିତ ସପ୍ତାହରେ ଇଡି ଶିବସେନା ବିଧାୟକ ପ୍ରତାପ ସରନାଇକଙ୍କ ବିଭିନ୍ନ ଠିକଣା ରେଡ କରିଥିଲେ। ଏହି ସବୁ ଘଟଣା ଶିବସେନା ମୁଖ୍ୟଙ୍କୁ ଅସନ୍ତୁଷ୍ଟ କରିଛି। ଏଣୁ ସାମ୍ନା ସାକ୍ଷାତକାରରେ ଉଦ୍ଧବ ଆମ ବିରୋଧରେ ଇଡିର ଦୂରୁପୋଯୋଗ ହେଲେ ଆମେ ବି ତୁମର ପରିବାର ଓ ପିଲା ଅଛନ୍ତି ଭୁଲିଯିବୁ ବୋଲି କହିଥିଲେ। ତୁମେ ଧୂଆ ଚାଉଳ ନୁହଁ, କେମିତି ଖେଚଡି ରନ୍ଧା ଯାଏ ତାହା ଆମେବି ଜାଣୁ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.