ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡନାଭିସ୍‌

Published By : Prameya-News7 Bureau | November 26, 2019 IST

ମୁମ୍ବଇ ୨୬।୧୧- ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ରାଜଭବନରେ ପହଞ୍ଚି ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ରାଜଭବନରେ ସେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ସଚନା ଯୋଗ୍ୟ ମହାରାଷ୍ଟ୍ରରେ ସରକାର ଗଠନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟପରେ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ମତଦାନ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଇସ୍ତଫା ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ଏହା ପୂର୍ବରୁ ଏନ୍‌ସିପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଫଡନାଭିସ୍‌ଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

ମଙ୍ଗଳବାରରେ ଏହି ମାମଲାର ଶୁଣାଣୀରେ ସୁପ୍ରିମକୋର୍ଟ ବୁଧବାରରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ନିର୍ଦେଶ ଦେଇଥିଲେ । ଇସ୍ତଫା ଦେବା ପୂର୍ବରୁ ଫଡନାଭିସ୍‌ ଶିବସେନାକୁ କଡା ସମାଲୋଚନା କରିଛନ୍ତି । ସେ ନୂଆକରି ସରକାର ଗଠନ କରୁଥିବା ନେତାଙ୍କୁ ଶୁଭେଚ୍ଛା ଦେଇଛନ୍ତି । ବିରୋଧୀ ଦଳରେ ବସି ସେ ବିପକ୍ଷର ଭୂମିକା ନିର୍ବାହ କରିବେ ବୋଲି କହିଛନ୍ତି । କିନ୍ତୁ ଶିବସେନା କଂଗ୍ରେସ ଓ ଏନ୍‌ସିପି ସରକାର ହେଲେ ଏହା ଏକ ଅସ୍ଥର ସରକାର ହେବ ବୋଲି ଫଡନାଭିସ୍‌ କହିଛନ୍ତି । ଶିବସେନା ଓ ବିଜେପି ମେଣ୍ଟକୁ ମହାରାଷ୍ଟ୍ର ଜନତା ବହୁମତା ପ୍ରଦାନ କରିଥିଲେ । ବିଜେପି ବି ସର୍ବାଧିକ ଆସନ ଜିତିଥିଲା। ମାତ୍ର ଫଳାଫଳ ଦେଖି ଶିବସେନା ନିଜର ମତ ପରିବର୍ତ୍ତନ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.