ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆଉ ତିହାର ଜେଲରେ ମିଳିବନି VVIP ସୁଖ ସୁବିଧା, ସେଲରୁ ହଟିବ ପଲଙ୍କ ଓ ଟେବୁଲ, ଚେୟାର

Published By : Prameya-News7 Bureau | December 25, 2022 IST

ନୂଆଦିଲ୍ଲୀ ୨୫।୧୨: ତିହାର ଜେଲ ସେଲ୍‌ରେ ଦରବାର ଲଗାଉଥିବା ଆମ ଆଦମୀ ପାର୍ଟି (ଆପ୍) ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ଏବେ ଜଟିଳ ହେବ। କାରାଗାରରେ ତାଙ୍କୁ ମିଳୁଥିବା ଭିଭିଆଇପି ଟ୍ରିଟ୍‌ ଆଉ ମିଳିବନି। ଏପରିକି ସେଲରେ ତାଙ୍କୁ ଦିଆଯାଇଥିବା ବେଡ ଓ ଟେବୁଲ ଚେୟାର ମଧ୍ୟ ହଟିବ। ଜେଲରେ ତାଙ୍କୁ ନା କେହି ଭେଟିପାରିବେ ନା ସେ କାହାକୁ ଭେଟିପାରିବେ। ଏବେ ଜେଲର ୪ କାନ୍ଥରେ ଏକାନ୍ତବାସରେ ରହିବେ ସତ୍ୟେନ୍ଦ୍ର ଜୈନ।

ଆପ ନେତାଙ୍କୁ ମନିଲଣ୍ଡ୍ରିଂ କେସ୍‌ରେ ଗିରଫ କରାଯାଇଥିଲା। ତେବେ ଜେଲରେ ତାଙ୍କ ଥାଟବାଟ ନେଇ କେତେକ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରତି ଏବେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଜଣାପଡିଛି। ତାଙ୍କ ଜେଲ କୋଠରୀରେ ଦିଆଯାଇଥିବା ପଲଙ୍କ, ଟେବୁଲ ଓ ଚେଆର ଆଦି ହଟିବ। ଉଲ୍ଲେଖଯୋଗ୍ୟ ଯେ ତିହାର ଜେଲରେ ବନ୍ଦୀ ସତ୍ୟେନ୍ଦ୍ର ଜୈନଙ୍କ କେତେକ ଭିଡିଓ ଭାଇରାଲ ହୋଇଥିଲା। ସେହି ଭିଡିଓ ଗୁଡିକୁ ଇଡି କୋର୍ଟରେ ମଧ୍ୟ ପେଶ୍ କରିଥିଲେ। ସେପଟେ ଭାଇରାଲ ଭିଡିଓକୁ ଦେଖି ଦିଲ୍ଲୀ ରାଜ୍ୟପାଳ ଭି.କେ.ସକ୍ସେନା ଏକ ଯାଞ୍ଚ କମିଟି ଗଠନ କରିଥିଲେ।

{"id":725523,"width":839,"height":596,"sizeSlug":"full","linkDestination":"none"}

ଜୈନ ତାଙ୍କ ସେଲରେ ମାଲିସ କରାଉଥିଲେ ଓ ସେହିଠାରେ ଭିଜିଟରଙ୍କୁ ମଧ୍ୟ ଭେଟୁଥିଲେ। ଏ ସମ୍ପର୍କିତ ଭିଡିଓ ଭାଇରାଲ ହୋଇଥିଲା। ଉପରାଜ୍ୟପାଳଙ୍କ ଯାଞ୍ଚ କମିଟି ରିପୋର୍ଟରେ ଜୈନଙ୍କୁ ଜେଲରେ ମିଳୁଥିବା ସୁଖସୁବିଧା ହଟାଇବାକୁ ସୁପାରିଶ କରାଯାଇଛି। ଏହି ଯାଞ୍ଚ କାଳରେ ତିହାର ଜେଲର ତତ୍କାଳୀନ ମୁଖ୍ୟ ସନ୍ଦୀପ ଗୋୟଲଙ୍କ ସହ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କ ଉଜାଗର କରିଛି। ଗୋୟଲଙ୍କ ନିର୍ଦ୍ଦେଶରେ ମନ୍ତ୍ରୀଙ୍କୁ ଜେଲରେ ଖଟପଲଙ୍କ ଓ ଚେୟାର ଟେବୁଲ ଯୋଗାଇ ଦିଆଯାଇଥିଲା ଓ ଅନ୍ୟ ସୁବିଧା ପ୍ରଦାନ କରାଯାଉଥିଲା ବୋଲି ଜଣାପଡିଛି।

ଏଣୁ ସନ୍ଦୀପ ଗୋୟଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଅପରପଟେ ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ ଭାଇରାଲ ହେବା ପରେ ବିଜେପି ଉପରେ ଟାର୍ଗେଟ କରିଥିଲା ଆପ। ଦିଲ୍ଲୀ ଏମସିଡି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେପି ଏପରି ମିଥ୍ୟା ଭିଡିଓ ସବୁ କରୁଥିବାର ଅଭିଯୋଗ କରିଥିଲା। ଆପ ଦାବି କରିଥିଲା ଯେ ଡାକ୍ତରଙ୍କ ନିର୍ଦେଶ ଅନୁସାରେ ଜୈନଙ୍କୁ ଫିଜିଓଥେରାପି ଦିଆଯାଉଛି । ଯାହାର ଭିଡିଓ କରି ବିଜେପି ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଥିବା ଆପ ଅଭିଯୋଗ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.