ଭୁବନେଶ୍ଵର: ବିଜେଡି ବଢ଼ାଇଲା ଷ୍ଟାର ପାୱାର। ଆଜି ବିଜେଡିରେ ଯୋଗ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଯେତେବେଳେ ଅନୁଭବ ପଟ୍ଟନାୟକ ବିଜେଡି ଛାଡି ବିଜେପିକୁ ଯାଇଛନ୍ତି ସେତେବେଳେ ଛାଡ଼ପତ୍ର ପରେ ବର୍ଷା ବିଜେଡିରେ ମିଶିଛନ୍ତି। ପୂର୍ବରୁ ନିମପୁରରୁ ନବୀନ ନିବାସ ଫିଲ୍ମ କରିଥିବା ବର୍ଷା ଆଜି ତାଙ୍କ ସ୍ମୃତି ବଖାଣିଛନ୍ତି।
ଘରକଳିରୁ ସିଧା ନିର୍ବାଚନ ମୈଦାନରେ ମୁହାଁ ମୁହିଁ । ପ୍ରଚାର ମୈଦାନରେ ହେବେ କି ଆମ୍ନାସାମ୍ନି। ଯେତେବେଳେ ରାଜଧାନୀରେ ୪୦ ଡିଗ୍ରୀ ତାତି ସେତେବେଳେ ବର୍ଷା ପହଞ୍ଚିଥିଲେ ଶଙ୍ଖଭବନ। ଆଉ ଶଙ୍ଖଭବନରେ ଶଙ୍ଖମାର୍କା ଉତ୍ତରୀୟ ଖଣ୍ଡେ ପକାଇଥିଲେ। କିଛିଦିନ ତଳେ ବିଜେପିରେ ସାମିଲ ହୋଇଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି । ଆଉ ତାର କାଉଣ୍ଟରରେ ଆଜି ବିଧିବଦ୍ଧ ବିଜେଡିରେ ମିଶିଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ପୂର୍ବରୁ ବିଜେଡି ପାଇଁ ବିଭିନ୍ନ ନିର୍ବାଚନରେ ପ୍ରଚାର କରିଥିଲେ ବର୍ଷା ପ୍ରୀୟଦର୍ଶିନି। ତେବେ ସ୍ବାମୀ ଅନୁଭବଙ୍କ ଠାରୁ ଅଲଗା ହେବା ପରେ ନିଜର ଅଲଗା ରାଜନୈତିକ ପରିଚୟ ସୃଷ୍ଟି କରିଛନ୍ତି ବର୍ଷା। ଶଙ୍ଖ ଭବନରେ ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ଆଉ କହିଛନ୍ତି ସେ ନବୀନଙ୍କ ଫ୍ୟାନ।
୨୦୧୯ରୁ ଅନୁଭବ ମହାନ୍ତି କେନ୍ଦ୍ରାପଡା ସାଂସଦ ଭାବେ ଜିତିବା ପରଠୁ ବର୍ଷା- ଅନୁଭବଙ୍କ ପାରିବାରିକ ବିବାଦ ରାଜ୍ୟ ରାଜନୀତିକୁ ହଲଚଲ କରି ରଖିଥିଲା । ବହୁ ବାଦ ବିବାଦ ଓ କୋର୍ଟ ହସ୍ତକ୍ଷେପ ପରେ ଦୁହେଁ ଅଲଗା ହୋଇଥିଲେ । ତାପରେ ଅନୁଭବ ବିଜେଡି ଠାରୁ ମୋହ ତୁଟାଇ ଫୁଲ ଧରିଥିଲେ । ସେବେଠୁ ସେ କେଉଁ ଆସନରୁ ଲଢିବେ ତାକୁ ନେଇ ଏବେ ବି ତର୍ଜମା ଜାରି ରହିଛି । କୁହାଯାଉଛି ଅନୁଭବ ସାଲେପୁର କିମ୍ବା କଟକ ବାରବାଟି ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି। ସେହି ୨ଟି ସିଟ୍ ରୁ ବିଜେପି ଏ ପର୍ଯନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ସେପଟେ ବର୍ଷାଙ୍କ ହଠାତ ପଲିଟିକାଲ ଏଣ୍ଟ୍ରି ତାହା ପୁଣି ଅପୋଜିସନ କ୍ୟାମ୍ପରେ , ପୁରା ସମୀକରଣକୁ ଓଲଟପାଲଟ କରିବ ବୋଲି କୁହାଯାଉଛି ।
ବର୍ଷାଙ୍କୁ ବିଜେଡି ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇବ ନା ଦଳ ତାଙ୍କୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନି । ଯେହେତୁ ଉଭୟ ସାଲେପୁର ଓ କଟକ ବାରବାଟି ସିଟରେ ବିଜେଡି ପ୍ରାର୍ଥି ଦେଇ ସାରିଛି ତେଣୁ ବର୍ଷାଙ୍କ ପାଇଁ ନିର୍ବାଚନ ଲଢିବା ସ୍ଥିତି ସେଠି ନାହିଁ । କିନ୍ତୁ ଅନୁଭବଙ୍କୁ ଟିକେଟ ମିଳିଲେ ବର୍ଷା ତାଙ୍କ ବିରୋଧରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି । ରିଲ୍ ଲାଇଫରୁ ରିୟଲ ଲାଇଫରେ ଯୋଡି ବନିଥିବା ଏବଂ ପରେ ବ୍ରେକ ଅପ ହୋଇ ସାରା ରାଜ୍ୟରେ ପରିବାର କଳି ପାଇଁ ଚର୍ଚ୍ଚାରେ ଥିବା ଏହି ଦୁଇ ହଟ୍ ଯୋଡି କିନ୍ତୁ ନିର୍ବାଚନୀ ମୈଦାନରେ ପରସ୍ପରକୁ ପୁଣି ତେରେଛା ବାଣ ମାରିବେ ବୋଲି ଆଲୋଚନା ହେଉଛି ।