ନୂଆଦିଲ୍ଲୀ ୨୨।୨: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଡଟେକ୍ କମ୍ପାନୀ ବାୟଜୁସ୍ର ସଂସ୍ଥାପକ ବାୟଜୁ ରବିନ୍ଦ୍ରନଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ପାଇଁ ଗୁରୁତ୍ୱାରୋପ କରିଛି। ଏହା ଦ୍ୱାରା ରବିନ୍ଦ୍ରନ ଦେଶ ଛାଡିପାରିବେନି ଏହା ସୁନିଶ୍ଚିତ କରିହେବ। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ହେବାକୁ ଥିବା ନିବେଶକ ବୈଠକ (ଇଜିଏମ) ପୂର୍ବରୁ ଲୁକ୍ ଆଉଟ୍ ନୋଟିସ୍କୁ ନେଇ ଅଟକଳ ଲଗାଯାଉଛି। ଯାଞ୍ଚ ଏଜେନ୍ସୀମାନେ ବାୟଜୁ ରବିନ୍ଦ୍ରନଙ୍କ ବିରୋଧରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ଉଲ୍ଲଂଘନ ଯୋଗୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରିବାକୁ ଯାଉଛନ୍ତି।
ରବିନ୍ଦ୍ରନ ଏବେ ଦୁବାଇରେ ଅବସ୍ଥାନ କରୁଛନ୍ତି। ଏଣୁ ଇଡି ବ୍ୟୁରୋ ଅଫ ଇମିଗ୍ରେସନକୁ ଲୁକଆଉଟ୍ ସର୍କୁଲାର (ଏଲଓସି) ଜାରି କରିବାକୁ କହିଛନ୍ତି। ଏଜେନ୍ସୀ ଚାହୁଁଛନ୍ତି ରବିନ୍ଦ୍ରନ ଏବେ ଯେପରି ଦେଶ ଛାଡି ନ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଇଡି ପାଖାପାଖି ଦେଢ ବର୍ଷ ପୂର୍ବେ ରବିନ୍ଦ୍ରନଙ୍କ ବିରୋଧରେ ‘ଅନ ଇଣ୍ଟିମେସନ ଲୁକ୍ ଆଉଟ୍ ସର୍କୁଲାର’ ଜାରି କରିଥିଲା। ଇଡିଙ୍କ କହିବା କଥା ହେଉଛି ‘କମ୍ପାନୀ କହିଥିଲା ଯେ ସେ ଭାରତ ବାହାରକୁ ବିଦେଶୀ ଧନ ପଠାଇଛି ଓ ବିଦେଶରେ ନିବେଶ କରିଛି। ଯାହା କଥିତ ରୂପେ ଫେମା ୧୯୯୯ର ଥିବା ପ୍ରାବଧାନର ଉଲ୍ଲଂଘନ ଓ ଏଥି ଯୋଗୁ ଭାରତ ସରକାର ରାଜସ୍ୱ ହରାଇଛନ୍ତି’।
{"id":912369,"width":838,"height":471,"sizeSlug":"full","linkDestination":"none"}
ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୦୨୩ରେ ଇଡି କମ୍ପାନୀ ଉପରେ ଚଢଉ କରିଥିଲା। ଏହା ପରେ ଇଡି ଏକ ବୟାନରେ ଦାବି କରିଥିଲା ଯେ ବାୟଜୁ ବିରୋଧରେ ‘ଫେମା’ ସର୍ଚ୍ଚରୁ ଜଣାପଡିଛି ଯେ ବାୟଜୁସକୁ ୨୦୧୧ରୁ ୨୦୨୩ ମଧ୍ୟରେ ପାଖାପାଖି ୨୮ ହଜାର କୋଟି ଟଙ୍କାର ସିଧା ବିଦେଶୀ ନିବେଶ ମିଳିଥିଲା ଓ କମ୍ପାନୀ ଅଲଗା ଅଲଗା ଦେଶରେ ପାଖାପାଖି ୯,୭୫୪ କୋଟି ଟଙ୍କା ନିବେଶ କରିଛି। ଏହି ଅବଧିରେ କମ୍ପାନୀ ବିଦେଶରେ ନିବେଶର ଦାବି ମଧ୍ୟ କରିଛି।
ବାୟଜୁ ରବିନ୍ଦ୍ରନଙ୍କ ବିରୋଧରେ ପୂର୍ବରୁ ଅନ ଇଣ୍ଟିମେସନ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଥିବାରୁ ବାୟଜୁର କେତେକ ନିବେଶକ ତାଙ୍କୁ ହଟାଇବାକୁ ଦାବି କରୁଛନ୍ତି। ଏଣୁ ୨୩ ଫେବୃଆରୀ ୨୦୨୪ରେ ହେବାକୁ ଥିବା ନିବେଶକ ବୈଠକ (ଇଜିଏମ)ରେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିପାରେ ବୋଲି ଏବେ ଆକଳନ କରାଯାଉଛି। ଇକୋନମିକ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ବାୟଜୁ ରବିନ୍ଦ୍ରନ ଗତ ୩ ବର୍ଷ ହେଲା ବାରମ୍ବାର ଭାରତ ଓ ଦୁବାଇ ମଧ୍ୟରେ ଯାତ୍ରା କରୁଛନ୍ତି।