ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବାକୁ ମନା କରିବା ପରେ କ୍ରିକେଟ୍ ଜଗତରେ ଚହଳ ପଡ଼ିଛି। ବିସିସିଆଇର ଏହି ଆଭିମୁଖ୍ୟକୁ ନାପସନ୍ଦ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟର ବିସିସିଆଇ ନିଷ୍ପତ୍ତିରେ ନିରାଶ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ପାକିସ୍ତାନର ପୂର୍ବତନ ଟେଷ୍ଟମ୍ୟାଚ ଅଧିନାୟକ ତଥା ଓ୍ବିକେଟ ରକ୍ଷକ ରାଶିଦ ଲତିଫଙ୍କ ଏକ ବୟାନ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।
ନିକଟରେ ରାଶିଦ ଲତିଫ ପାକିସ୍ଥାନର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଯଦି ମୋ ପାଖରେ ସେତିକି କ୍ଷମତା ଥାନ୍ତା ତେବେ ମୁଁ ପାକିସ୍ତାନ ଓ ଭାରତ ମଧ୍ୟରେ କୌଣସି ଫର୍ମାଟରେ ମ୍ୟାଚ୍ ଆୟୋଜନ ନ କରିବାକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନସିଲ(ଆଇସିସି)କୁ ମଧ୍ୟ ଅନୁରୋଧ କରିଥାନ୍ତି। ବିଶେଷ କରି ଯେଉଁ ଯାଏ ଉଭୟ ଦେଶ ମଧ୍ୟରେ ବିବାଦର ସମାଧାନ ନ ହୋଇଛି ସେଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ କରା ନ ଯାଉ।
ଆଗକୁ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ବିସିସିଆଇ ନିଜର ଦଳକୁ ପାକିସ୍ତାନକୁ ପଠାଇବାକୁ ମନା କରି ଦେଇଥିବାରୁ ଏବେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଅନ୍ୟ କୌଣସି ଦେଶରେ ହେବାର ସମ୍ଭାବନା ଦେଖା ଦେଇଛି। ଏ ବିଷୟରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଆଇସିସିକୁ ଏକ ପତ୍ର ଲେଖି କାହିଁକି ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଆସିବା ନାହିଁ ତାର କାରଣ ଲିଖିତ ଆକାରରେ ବିସିସିଆଇ ଚାହୁଁଛି।
ରାଶିଦ ଆହୁରି ମଧ୍ୟ କହିଛନ୍ତି “ପାକିସ୍ତାନ ମଧ୍ୟ ଭାରତ ବିପକ୍ଷରେ ନ ଖେଳିବାର ବିକଳ୍ପ ମଧ୍ୟ ରହିଛି । ଯଦି ମୋ ପାଖରେ ସେତିକି କ୍ଷମତା ଥାଆନ୍ତା ତେବେ ମୁଁ ଏ ଦିଗରେ ଉଚିତ ପଦକ୍ଷେପ ନେଇଥାନ୍ତି । ଏଥି ନିମନ୍ତେ ମୁଁ କାହାକୁ ଦୋଷ ଦେଉନାହିଁ କିନ୍ତୁ ଯଦି ତୁମେ ପାକିସ୍ତାନରେ ଖେଳିବାକୁ ଚାହୁଁନାହଁ ତେବେ ଆମ ଦଳ ବିପକ୍ଷରେ ମଧ୍ୟ ଖେଳିବା ବନ୍ଦ କରିଦିଅ ”।
“ଯଦି ମୁଁ ପିସିବିରେ ଥାଆନ୍ତି ତେବେ ମୁଁ ବିସିସିଆଇ ବିରୁଦ୍ଧରେ ନିଶ୍ଚିନ୍ତ ଲଢି ଥାଆନ୍ତି” । ସମସ୍ୟାର ସମାଧାନ ନହେବା ଯାଏ ଉଭୟ ଦେଶକୁ ବଡବଡ ଟୁର୍ଣ୍ଣାମେଣ୍ଟ ନଦେବାକୁ ମୁଁ ଆଇସିସିକୁ ମଧ୍ୟ ଅନୁରୋଧ କରିଥାନ୍ତି।
ଲତିଫ କହିଛନ୍ତି “ଏସିଆରେ, ଖାସ କରି କ୍ରିକେଟରେ ରାଜନୀତି କରିବା କାରଣରୁ ଆଇସିସି ଶ୍ରୀଲଙ୍କା(୨୦୨୩) ଓ ଜିମ୍ବାଓ୍ବେ(୨୦୧୯)କୁ ବାସନ୍ଦ କରିଥିଲା। ତେବେ ଭାରତ ଓ ପାକିସ୍ତାନ କ୍ଷେତ୍ରରେ ଆଇସିସି ଚୁପ କଣ ପାଇଁ ରହୁଛି ମୁଁ ବୁଝିପାରୁନାହିଁ । ”ଶ୍ରୀଲଙ୍କା କ୍ରିକେଟ(ଏସଏଲସି)ର ପ୍ରଶାସନିକ ବିଭାଗରେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଆଇସିସି ଶ୍ରୀ ଲଙ୍କା ଦଳ ଉପରେ ଲଗାଇଥିବା ବାସନ୍ଦାଦେଶ ଚଳିତ ବର୍ଷ ଜାନୁଆରୀରେ ପ୍ରତ୍ୟାହାର ହୋଇଛି।
ଏହି ପୂର୍ବତନ ଖେଳାଳି ଭାରତୀୟ ଖେଳାଳିଙ୍କ ସୁରକ୍ଷାକୁ ନେଇ କହିଛନ୍ତି ଯଦି ଆଇସିସିର ସିକ୍ୟୁରିଟି ଟିମ ଆସି ପାକିସ୍ତାନ ଖେଳିବା ପାଇଁ ସୁରକ୍ଷିତ ବୋଲି ସବୁଜ ସଙ୍କେତ ଦେଇ ସାରିଛନ୍ତି ତେବେ ବିସିସିଆଇର ଅସୁବିଧା ରହୁଛି କୋଉଠି । ଯଦି କେଉଁଠି ଅସୁବିଧା ରହୁଛି ତେବେ ସେନେଇ ଅଭିଯୋଗ ଦାଖଲ କରୁନାହିଁ କାହିଁକି ବୋଲି ରାଶିଦ ଲତିଫ ପ୍ରଶ୍ନ କରିଛନ୍ତି।
ଆମେ ଆମ ଦେଶରେ ଦୀର୍ଘ ୧୨ବର୍ଷ ହେବ କ୍ରିକେଟ୍ ଖେଳି ନାହୁଁ, ଗୋଟିଏ ଦଳ ପାଇଁ ଏହାଠୁ ଖରାପ ଆଉ କଣ ହେଇପାରେ ? ପାକିସ୍ତାନ ପ୍ରତି ଆଠ ବର୍ଷକୁ ଥରେ ଆଇସିସି ତରଫରୁ ଭାରତ ସହ ଖେଳିବା ପାଇଁ ୩୪ ମିଲିୟନ ଡଲାର ପାଇଥାଏ । ଯେଉଁ ବୋର୍ଡ ପାଖେ ବହୁତ ପଇସା ଅଛି ତାଙ୍କ ପାଇଁ ହୁଏତ ଏ କ୍ଷତି କିଛି ନୁହେଁ, କିନ୍ତୁ ପିସିବି ପାଇଁ ଏହାର ମୁଲ୍ୟ ବହୁତ ଅଧିକ ରହିଛି ବୋଲି ସେ କହିଛନ୍ତି ।