ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ମାଥ୍ୟୁ କ୍ରୁକ୍ସର ଗାଡ଼ି ଏବଂ ଘରୁ ବିସ୍ଫୋଟକ ଏଂ ବୋମା ତିଆରି ସାମଗ୍ରୀ ମିଳିଛି । ଏଥିରୁ ଜଣାପଡ଼ିଛି ଯେ ଆକ୍ରମଣକାରୀର ଯୋଜନା କେବଳ ଟ୍ରମ୍ପଙ୍କୁ ଗୁଳି ମାରିବାରେ ସୀମିତ ନଥିଲା, ବରଂ ତାହାଠାରୁ ବି କିଛି ସାଙ୍ଘାତିକ ଯୋଜନାରେ ଥିଲା । ଦୁଇ ଜଣ ଅଧିକାରୀ କହିଛନ୍ତି ଯେ ହତ୍ୟାକାରୀର ଘରୁ ବୋମା ତିଆରି ସାମଗ୍ରୀ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ଶନିବାର ପେନସିଲଭେନିଆରେ ରାଲିକୁ ସମ୍ୱୋଧନ କରିବା ବେଳେ ୨୦ ବର୍ଷୀୟ କ୍ରୁକ୍ସ ତାଙ୍କ ଉପରେ ଅନେକ ରାଉଣ୍ଡ ଗୁଳିମାଡ଼ କରିଥିଲା । ଏହି ଆକ୍ରମଣରେ ଟ୍ରମ୍ପ ଆହତ ହୋଇଥିଲେ ଏବଂ ତାଙ୍କ ଡାହାଣ କାନକୁ ଛୁଇଁ ଗୁଳି ଚାଲି ଯାଇଥିଲା । ଅନ୍ୟପଟେ ଏହି ଗୁଳିମାଡ଼ ଘଟଣାରେ ଟ୍ରମ୍ପଙ୍କ ରାଲିରେ ସାମିଲ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ସିକ୍ରେଟ୍ ସର୍ଭିସ୍ କର୍ମୀ ଆକ୍ରମଣକାରୀକୁ ନିପାତ କରିଥିଲେ ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକ୍ରମଣ ପରେ ରବିବାର ଦେଶବାସୀଙ୍କୁ ଏକଜୁଟ୍ ଏବଂ ସଂଗଠିତ ହେବାର ଆହ୍ୱାନ ଦେଇଛନ୍ତି । ଗୁଳିମାଡ଼ରେ ଟ୍ରମ୍ପ ଆହତ ହୋଇଥିଲେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ । ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକନ ପ୍ରାର୍ଥୀ କହିଛନ୍ତି ଯେ ଗୁଳି ବାଜିବା ପରେ ତାଙ୍କ ଡାହାଣ କାନର ଉପର ଭାଗରେ ଆଘାତ ଲାଗିଛି । ଟ୍ରମ୍ପ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, 'ମୋତେ ତୁରନ୍ତ ଲାଗିଲା କିଛି ଗୋଟେ ଗଡ଼ବଡ଼ ହୋଇଛି, କାରଣ ମୁଁ ଗୋଟିଏ ଜୋର ଶବ୍ଦ ଶୁଣିଲି, ଗୁଳି ଚାଲିଲା ଏବଂ ମୁଁ ଅନୁଭବ କଲି ଯେ ଗୁଳି ମୋ ଚର୍ମକୁ ଚିରି ବାହାରି ଗଲା । ରକ୍ତ ବାହାରିଲା ।' ସେ କହିଛନ୍ତି, 'ଭଗବାନ ହିଁ ସେହି ସବୁ ଅଟକାଇଲେ ଯାହା ବିଷୟରେ ମୁଁ ଭାବି ବି ନଥିଲି ।'
ଟ୍ରମ୍ପଙ୍କ ପୋଷ୍ଟ ଅନୁସାରେ, 'ଏହି ସମୟରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ ଏକଜୁଟ୍ ରହିବା ଏବଂ ଆମେରିକୀୟ ଭାବେ ନିଜର ମୂଳ ଚରିତ୍ର ବଜାୟ ରଖିବା । ଆମେ ମଜଭୁତ ଏବଂ ଦୃଢସଂକଳ୍ପ ରହିବା ଏବଂ ଅସତ୍ୟକୁ ଜିତିବାକୁ ଦେବାନି ।'
ଉଲ୍ଲେଖଯୋଗ୍ୟ ଯେ ଧ୍ରୁବୀକରଣରୁ ପ୍ରଭାବିତ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ମାତ୍ର ୪ ମାସ ପୂର୍ବରୁ ଏହି ଆକ୍ରମଣ ସମସ୍ତଙ୍କ ଧ୍ୟାନ ରାଜନୀତିକ ହିଂସା ଆଡ଼କୁ ଟାଣୁଛି । ଏହା ପରେ ମିଲମାଉକିରେ ସୋମବାର ଆରମ୍ଭ ହେବାକୁ ଥିବା ରିପବ୍ଲିକନ ନ୍ୟାସନାଲ କନଭେନସନରେ ସୁରକ୍ଷା ପରିଦୃଶ୍ୟ ବଦଳିପାରେ ।