ପାଟଣାଗଡର ପୁନରାବୃତ୍ତି, ବାହାଘର ଗିଫ୍ଟରେ ଫୁଟିଲା ବୋମା, କ୍ଷଣିକରେ ବଦଳିଗଲା ଖୁସିର ମାହୋଲ, ବରର ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | May 18, 2022 IST

ଅହମ୍ମଦାବାଦ: ଓଡିଶାର ବଲାଙ୍ଗିରର ପାଟଣାଗଡ ଘଟଣାର ପୁନରାବୃତ୍ତି ଘଟିଛି। ଉପହାରରେ ମିଳିଥିବା ପାର୍ସଲ ବୋମାରେ ବିସ୍ଫୋରଣ ଘଟଣାର ପୁନରାବୃତ୍ତି ଗୁଜରାଟରେ ଘଟିଛି।  ବିବାହରେ ମିଳିଥିବା ଉପହାର ବରର ଜୀବନକୁ ବରବାଦ କରି ଦେଇଛି। ବିବାହ ଉତ୍ସବରେ ଉଛୁଳି ପଡୁଥିବା ଘରେ କିଛି କ୍ଷଣରେ ଶୋକର ମାହୋଲ ଖେଳି ଯାଇଛି। ବିବାହ ସମାରୋହ ପରେ ବିବାହିତ ଯୁବକ ନିଜ ଭଣଜା ସହ ଗିଫ୍ଟ ଖୋଲି ଦେଖୁଥିଲେ। ଏହି ସମୟରେ ଅଚାନକ ଏକ ପ୍ୟାକେଟ୍ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଏଥିରେ ଯୁବକ ଏବଂ ତାଙ୍କ ଭଣଜା ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରର ଅବସ୍ଥା ସଙ୍କଟାପନ୍ନ ରହିଛି।

ଆଜତକର ରିପୋର୍ଟ ଅନୁଯାୟୀ, ଏହି ଘଟଣା ନଓ୍ଵାସରି ଜିଲ୍ଲାର ଓ୍ଵଂଶଦା ସ୍ଥିତ ମୀଠାମ୍ବରୀ ଗାଁର। ଏଠାରେ ମେ ୧୨ରେ ଏକ ବିବାହ ହୋଇଥିଲା। ବିବାହ ସମାରୋହରେ ଆସିଥିବା ଅତିଥି ନବ ବିବାହିତ ଯୋଡିଙ୍କ ଉପହାର ଦେଇଥିଲେ। ମଙ୍ଗଳବାର ଯୁବକ ଲତେଶ ନିଜ ଭଣଜା ସହ ଉପହାର ପ୍ୟାକେଟ୍ ଖୋଲି ଦେଖୁଥିଲେ।

ଏହି ସମୟରେ ଉପହାରରୁ ମିଳିଥିବା ଟେଡି ବିୟରରେ ଜୋରଦାର ବ୍ଲାଷ୍ଟ ହୋଇଥିଲା। ଲତେଶ ଏବଂ ତାଙ୍କ ୩ ବର୍ଷୀୟ ଭଣଜା ଗୁରୁତର ଭାବେ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଜୋର ଥିଲା ଯେ, ଯୁବକଙ୍କ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ବାମ ହାତ ଶରୀରଠୁ ଅଲଗା ହୋଇ ଯାଇଛି। ତୁରନ୍ତ ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ପରେ କନ୍ୟା ପିତା କହିଛନ୍ତି, ମେ ୧୨ରେ ତାଙ୍କ ଝିଅଙ୍କ ବିବାହ ଲତେଶ ସହ ହୋଇଥିଲା। ମୋ ବଡ ଝିଅର ପୂର୍ବତନ ପ୍ରେମିକ ରାଜୁ ଧସନୁଖ ପଟେଲ କାହା ଜରିଆରେ ଟେଡି ବିୟର ପରି ଇଲେକ୍ଟ୍ରୋନିକ ଗିଫ୍ଟ ପଠାଇଥିଲା। ପୂରା ମାମଲାରେ ରାଜୁ ଧସନୁଖ ପଟେଲ ସନ୍ଦେହ ଘେରରେ ଅଛନ୍ତି।

ପୋଲିସ ମାମଲାରେ ଏଫଆଇଆର ରୁଜୁ କରି ଖୋଳତାଡ ଆରମ୍ଭ କରିଛି। ପୋଲିସ ଅନୁମାନ କରୁଛି ଯେ, ରାଜୁର ଝିଅ ସହ ପ୍ରେମ ସଂପର୍କ ଥିଲା। ହେଲେ ପ୍ରେମିକା ଅନ୍ୟ କାହା ସହ ବିବାହ କରିବାକୁ ସେ ସହି ପାରିନଥିଲା। ବୋଧହୁଏ ପ୍ରତିଶୋଧ ନେବା ପାଇଁ ରାଜୁ ଏହି ପରି କାଣ୍ଡ ଭିଆଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.