କାବୁଲ୍‌ର ଚାଇନିଜ୍  ହୋଟେଲ୍‌ରେ ବଡ ବିସ୍ଫୋରଣ, ଗୁଳି ଫୁଟାଇ ହୋଟେଲ୍‌ ଭିତରକୁ ପଶିଲେ ଆକ୍ରମଣକାରୀ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ:  ଆଫଗାନିସ୍ତାନର କାବୁଲ୍‌ରେ ସୋମବାର ବିସ୍ଫୋରଣ ଘଟିଛି। ସହରର ଷ୍ଟାର ଏ ନୋ ହୋଟେଲ୍‌କୁ ଆକ୍ରମଣକାରୀ ନିଶାଣ କରିଛନ୍ତି। ଏହି  ହୋଟେଲ୍‌କୁ ଚାଇନିଜ୍ ହୋଟେଲ୍‌ କୁହାଯାଏ କାରଣ ଏଠାକୁ ସର୍ବଦା ଚୀନର ବରିଷ୍ଠ ଅଧିକାରୀଙ୍କ ଯିବା ଆସିବା ଲାଗି ରହିଥାଏ। ଏ ପର୍ଯ୍ୟନ୍ତ ଆକ୍ରମଣକାରୀର ପରିଚୟ ମିଳି ପାରି ନାହିଁ। ହୋଟେଲ୍ ପରିସରରେ ଖୁବ୍ ଜୋରରେ ଗୁଳି ଫୁଟିବା ଶବ୍ଦ ବି ଶୁଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ଆକ୍ରମଣକାରୀ ଗୁଳି ଫୁଟାଇ ହୋଟେଲ୍‌ ଭିତରକୁ ପଶିଥିଲେ। ଲୋକଙ୍କୁ ହୋଟେଲ୍‌ ଭିତରେ କେମିତି ବନ୍ଦୀ ରଖାଯାଇ ପାରିବ ସେହି ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ଆଫଗାନିସ୍ତାନର ରାଜଧାନୀ କାବୁଲର ଏହି ହୋଟେଲ୍‌ରେ ଚୀନ ଅଧିକାରୀ ଏବଂ ବ୍ୟବସାୟୀ ସର୍ବଦା ଯିବା ଆସିବା କରିଥାନ୍ତି।

wp:html /wp:html

ଆକ୍ରମଣରେ ହୋଟେଲ୍‌ର ଏକ କୋଠରୀରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସାମ୍ବାଦିକ ଆକ୍ରମଣର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ହୋଟେଲ୍ ଭିତରେ କିଛି ଆକ୍ରମଣକାରୀ ଗୁଳି ମାଡ କରିଥିବା କହିଛନ୍ତି।

ଏହା ପୂର୍ବରୁ ଡିସେମ୍ଵର ମାସର ଆରମ୍ଭରେ କାବୁଲ୍ ସ୍ଥିତ ପାକିସ୍ତାନୀ ଦୂତାବାସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।ତେବେ ଆଜିର ଆକ୍ରମଣରେ କୌଣସି ପ୍ରକାରର ମୃତାହତର କୌଣସି ସୂଚନା ମିଳିନାହିଁ। ଆକ୍ରମଣ ହୋଇଥିବା ହୋଟେଲ୍‌ଟି ଉଚ୍ଚ ସୁରକ୍ଷା ସଂପନ୍ନ ଅଞ୍ଚଳରେ ଅବସ୍ଥିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.