ଭାରତରେ ଆସିପାରେ କରୋନାର ନୂଆ ଲହର! ଆଶଙ୍କା କରୁଛନ୍ତି ଏକ୍ସପର୍ଟ
28/12/2022 at 6:08 PM

ନୂଆଦିଲ୍ଲୀ ୨୮।୧୨: ଚୀନ୍ରେ କରୋନା ଭାଇରସ ମହାମାରୀ ଏବେ ପ୍ରକୋପ କରୁଛି। ଉପୁଜିଥିବା ପରିସ୍ଥିତି ଏବେ ଭାରତ ଲାଗି ମଧ୍ୟ ଚିନ୍ତାଜନକ ହୋଇଛି। ସୂତ୍ରକୁ ବିଶ୍ୱାସ କରାଗଲେ ଆଗାମୀ ୪୦ ଦିନ ଭାରତ ଲାଗି ବେଶ ଜଟିଳ ମନେ କରାଯାଉଛି। ଏପରି ହେଲେ ଭାରତରେ ଜାନୁୟାରୀରେ କରୋନା ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି। ଗତ ଟ୍ରେଣ୍ଡକୁ ଦେଖି ଏହି ଆକଳନ କରାଯାଉଛି। ପୂର୍ବରୁ ଏହା ଦେଖା ଯାଇଛି ଯେ ଇଷ୍ଟ ଏସିଆରେ ପ୍ରକୋପ କରିବାର ୩୦ରୁ ୩୫ ଦିନ ପରେ କୋଭିଡ ନୂଆ ଲହର ଭାରତ ପହଞ୍ଚିଥିଲା। ଏହି ଆଧାରରେ ଏବେ ଜାନୁୟାରୀରେ ଭାରତରେ କୋଭିଡ ଲହରର ଆଶଙ୍କା କରାଯାଉଛି।
ତେବେ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏଥର ଯଦି କୋଭିଡ ଲହର ଆସେ ଏହା ଏତେ ବିପଦଜନକ ହେବ ନାହିଁ ବୋଲି ଆକଳନ କରୁଛନ୍ତି। ଯଦି ଲହର ଆସେ ଆକ୍ରାନ୍ତଙ୍କ ସଂଖ୍ୟା, ହସ୍ପିଟାଲରେ ଆଡମିସନ ଓ ମୃତ୍ୟୁ ସଂଖ୍ୟା ଢେର କମ ରହିବ ବୋଲି କୁହାଯାଉଛି। ଏଣୁ କରୋନାର ନୂଆ ଭାରିଆଣ୍ଟ ବିଏଫ.୭ ଉପରେ ଔଷଧ ଓ ଭେକ୍ସିନ କେତେ ପ୍ରଭାବୀ ତାହା ଏବେ ସ୍ୱାସ୍ଥ୍ୟ ବିଭାଗ ଅଧ୍ୟାୟନ କରୁଛନ୍ତି।

ଗତ ୨ରୁ ୩ ଦିନରେ ବିଭିନ୍ନ ବିମାନ ବନ୍ଦରରେ ୬ ହଜାର ଅନ୍ତର୍ଜାତୀୟ ଯାତ୍ରୀଙ୍କ ଯାଞ୍ଚ ହୋଇଛି। ଏଥିରୁ ୩୯ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁବାର ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ତା ପୂର୍ବରୁ ବୁଧବାର ସାରା ଦେଶରେ କରୋନାର ୧୮୮ଟି ନୂଆ ମାମଲା ଚିହ୍ନଟ ହୋଇଛି। ଫଳରେ ଦେଶରେ ମୋଟ ସକ୍ରିୟ କରୋନା ସଂଖ୍ୟା ବଢି ୩ ହଜାର ୪୬୮କୁ ପହଞ୍ଚି ଯାଇଛି।
କାର୍ଲିଫର୍ଣ୍ଣିଆ ଆଧାରିତ ସ୍କ୍ରିପସ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ ଅନୁସାରେ ଚୀନ୍ରେ ହାହାକର ସୃଷ୍ଟି କରିଥିବା ବିଏଫ.୭ ଭାରିଆଣ୍ଟ ଫେବୃଆରୀ ୨୦୨୧ ପରେ ୯୦ ଦେଶରେ ସାମ୍ନାକୁ ଆସି ସାରିଛି। ଏହା ଓମିକ୍ରନ ବିଏ.୫ ସବ୍ ଭାରିଆଣ୍ଟ ଗୃପ୍ର ଅଂଶବିଶେଷ। ତେବେ ଏହି ଭାରିଆଣ୍ଟର ଭାରତ ଉପରେ ସେପରି କୌଣସି ପ୍ରଭାବ ରହି ନପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। କାରଣ ଭାରତର ଏକ ବୃହତ୍ତ ଜନସଂଖ୍ୟା ଡବଲ ଇମୁନିଟ୍ ହାସଲ କରିଛି। ଏଥିରେ ଗୋଟିଏ ପ୍ରାକୃତିକ ହୋଇଥିବା ବେଳେ ଅନ୍ୟ ଟି ଟିକା ନେଇ ହାସଲ କରାଯାଇଛି।

ତେବେ ଚୀନ୍ରେ ଭୂତାଣୁ ଭୟାନକ ରୂପ ଧାରଣ କରିସାରିଲାଣି। ରିପୋର୍ଟ ଅନୁସାରେ ଚୀନ୍ରେ ବହୁ ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି। ପ୍ରତିଦିନ ଲୋକେ ଲକ୍ଷେରେ ସଂକ୍ରମିତ ହେଉଛନ୍ତି। ହସ୍ପିଟାଲ ସବୁ ରୋଗୀରେ ଭରି ଯାଇଥିବା ବେଳେ ନୂଆ ଆକ୍ରାନ୍ତଙ୍କ ଲାଗି ହସ୍ପିଟାଲରେ ସ୍ଥାନାଭାବ ଦେଖାଦେଇଛି। ସଂକ୍ରମଣ ଏପରି ବ୍ୟାପୁଥିବା ବେଳେ ଦେଶରେ ଔଷଧର ଘୋର ଅଭାବ ଦେଖା ଦେଇଛି।