ଚୀନରେ ପୁଣି ଫେରିଲା କରୋନା କାଳ ? ଅନ୍ତିମ ସଂସ୍କାର ପାଇଁ ପଡ଼ିରହୁଛି ଶବ, ଚିନ୍ତା ବ୍ୟକ୍ତ କଲେ ବିଶେଷଜ୍ଞ
19/12/2022 at 7:45 PM

ନୂଆଦିଲ୍ଲୀ, ୧୯/୧୨: ଚୀନରେ କରୋନା କଟକଣାରେ କୋହଳ ପରେ ସ୍ଥିତି ଖରାପ ହୋଇପଡ଼ିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଚିନ୍ତାପ୍ରକାଶ କରାଯାଉଛି। ଏହାରି ମଧ୍ୟରେ ମହାମାରୀ ବିଜ୍ଞାନ ବିଶେଷଜ୍ଞ ଏରିକ୍ ଫିଙ୍ଗଲ ଡିଙ୍ଗ ଟ୍ବିଟରରେ ଚୀନରେ କରୋନା ସ୍ଥିତିକୁ ନେଇ ପୋଷ୍ଟ କରିଛନ୍ତି। ଏରିକ୍ ଚୀନରେ ବ୍ୟାପୁଥିବା କରୋନା ସଂକ୍ରମଣ ଏବଂ ଏଠାକାର ସିଷ୍ଟମ ବିଷୟରେ କହିଛନ୍ତି। ଏରିକ୍ଙ୍କ ଅନୁଯାୟୀ ଯଦି ଏହିଭଳି ସ୍ଥିତି ଲାଗିରହିବ ତେବେ ଆଗାମୀ ୯୦ ଦିନରେ ପୃଥିବୀର ୧୦ ପ୍ରତିଶତ ଜନସଂଖ୍ୟା ସଂକ୍ରମଣର ଶିକାର ହୋଇଯିବ। କେବଳ ଏତିକି ନୁହେଁ ଏରିକ୍ କରୋନାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବାନେଇ ମଧ୍ୟ ଆଶଙ୍କା କରିଛନ୍ତି।
ଏରିକ୍ ପୋଷ୍ଟରେ କହିଛନ୍ତି ଯେ କରୋନା କଟକଣା ହଟିବା ପରେ ଚୀନର ସ୍ଥିତି ଖରାପ ହୋଇଯାଇଛି। ଲୋକଙ୍କୁ ସେମାନଙ୍କ ଅବସ୍ଥା ଉପରେ ଛାଡ଼ିଦିଆଯାଇଛି। ସେ ଲେଖିଛନ୍ତି ସଂକ୍ରମିତଙ୍କ ଲୋକେ ଦ୍ରୁତ ଭାବରେ ସଂକ୍ରମିତ ହେଉଛନ୍ତି ଏବଂ ଏହି ସଂଖ୍ୟା ବହୁତ ଦ୍ରୁତ ଭାବରେ ବଢ଼ୁଛି। ଶବସଂଖ୍ୟା ବଢ଼ୁଛି। ସଂକ୍ରମଣ ବେଗ ଦୁଇଗୁଣା ହୋଇସାରିଛି। ଏହାର କାରଣ ହେଉଛି ଟେଷ୍ଟ ହାର ବୃଦ୍ଧି ହୋଇନାହିଁ। କୌଣସି ସଂକ୍ରମଣ ରିପୋର୍ଟ ଆସିବାବେଳକୁ ସଂକ୍ରମଣ ବଢ଼ିଯାଇଥାଏ। ସେ କହିଛନ୍ତି ଯେ ସମଗ୍ର ବିଶ୍ବ ବିପଦରେ ଅଛି।
ଡାକ୍ତର ଏରିକ୍ ଆହୁରି କହିଛନ୍ତି ନିକଟରେ ଅନ୍ତିମ ସଂସ୍କାରରେ ତୀବ୍ରତା ଆସିଛି। ଯାହା ଦର୍ଶାଉଛି ଯେ ମୃତ୍ୟୁ ସଂଖ୍ୟା ବଢ଼ିଛି। ସେ କହିଛନ୍ତି ଯେ ବେଜିଂରେ ୨୪ ଘଣ୍ଟା ଏବଂ ସାତ ଦିନ ଲଗାତାର ଅନ୍ତିମ ସଂସ୍କାର ହେଉଛି। ଶବଗୃହରେ ସ୍ଥାନର ଅଭାବ ପଡ଼ିଲାଣି। ୨ ହଜାରରୁ ଅଧିକ ଶବ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷାରେ ରହିଛନ୍ତି। ଏଭଳି ଲାଗୁଛି ଯେମିତି ୨୦୨୦ ର କରୋନା ସ୍ଥିତି ପୁଣି ଫେରିଛି। ଡାକ୍ତର ଏରିକ୍ଙ୍କ ଅନୁଯାୟୀ ସ୍କୁଲକୁ ଆସନ୍ତା ମାସ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।
ରୋଗ ବଢ଼ିବା ସହ ଔଷଧ ଅଭାବ ମଧ୍ୟ ହେବାରେ ଲାଗିଛି। ଏରିକ୍ କହିଛନ୍ତି ୨୦୨୨-୨୩ ରେ ମଧ୍ୟ କରୋନା ସମଗ୍ର ବିଶ୍ବ ଉପରେ ଖରାପ ପ୍ରଭାବ ପକାଇପାରେ। ସେ କହିଛନ୍ତି ଅବଶ୍ୟ ଏହା ଦୁନିଆ ଉପରେ ସିଧାସଳଖ ପ୍ରଭାବ ପକାଇନପାରେ କିନ୍ତୁ ଏହାର ପ୍ରଭାବ କିଛି ନା କିଛି ଉପାୟରେ ପଡ଼ିବ। ଏରିକ୍ଙ୍କ ଅନୁଯାୟୀ ଚୀନରେ ଆସୁଥିବା କରୋନାର ଏହି ସୁନାମୀ ଦୁନିଆର ଅର୍ଥବ୍ୟବସ୍ଥାକୁ ଧ୍ବଂସ କରିପାରେ। ଏରିକ୍ ସତର୍କ କରାଇଛନ୍ତି ଯେ ଯଦି ଆପଣ ଏହା ଭାବୁଛନ୍ତି ଯେ ରୋଗ କୌଣସି ଦୂର ଦେଶରେ ବ୍ୟାପିଛି ତେବେ ଏହା ଭୁଲ୍ । ଯଦି କରୋନା ବିସ୍ଫୋରଣ ହେଉଛି ତେବେ ଆପଣ ମଧ୍ୟ ଏହାର ଶିକାର ହୋଇପାରନ୍ତି।
ସୂଚନାଯୋଗ୍ୟ, ଚୀନରେ କରୋନାକୁ ନେଇ ଲଗାଯାଇଥିବା କଟକଣାକୁ ନେଇ ନିକଟରେ ଦେଶରେ ପ୍ରଦର୍ଶନ ହୋଇଥିଲା। ଏହା ପରେ ସରକାର କଟକଣାରେ କୋହଳ କରିଥିଲେ। ଆଉ ଏହାର ପରେ ପରେ ଚୀନରେ କରୋନା ସଂକ୍ରମଣ ସ୍ଥିତି ଖରାପରୁ ଅତି ଖରାପ ହୋଇଥିଲା।