ଚୀନ୍‌ରେ ବଢୁଛି ଏକ୍ସପେରିମେଣ୍ଟାଲ Covid ଟିକା ବିକ୍ରି , ଛାତ୍ରଙ୍କୁ ମିଳୁଛି ମାଗଣା

Published By : Prameya-News7 Bureau | October 16, 2020 IST

ବେଜିଂ :  ଚୀନ୍‌ରେ ଏବେ କରୋନା ଭାଇରସ ଏକ୍ସପେରିମେଣ୍ଟାଲ ଭେକ୍ସିନ୍‌ ବହୁଳ ବିକ୍ରି ହେଉଛି। ଏପରି ଟିକା ଲଗାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦେଶରେ  ବଢିବାରେ ଲାଗିଛି।  ସିନୋଭେକ୍‌  ଏହି ଟିକା ପ୍ରସ୍ତୁତ କରିଥିବା ବେଳେ କ୍ଲିନିକାଲ ଟ୍ରାୟଲର ଚୂଡାନ୍ତ ପର୍ଯ୍ୟାୟରେ ଥିବା ଦାବି କରୁଛି। ହେଲେ ସରକାରୀ ଭାବେ ଏହି ଟିକାକୁ ମଞ୍ଜୁରି ମିଳିନଥିବା ବେଳେ ଯେଉଁମାନଙ୍କର ନିତ୍ୟାନ୍ତ ଆବଶ୍ୟକ ସେମାନେ ୪୬ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୪ ହଜାର ୩୦୦ ଟଙ୍କାରେ କିଣି ଲଗାଉଛନ୍ତି।

ତେବେ ଔଷଧ ପ୍ରସ୍ତୁତ କର୍ତ୍ତା ବିଦେଶ ଯାଉଥିବା ଛାତ୍ରାଙ୍କୁ ଏହି ଟିକା ମାଗଣାରେ ଦେଉଥିବା ବେଳେ ସହରରେ ସାଧାରଣ କାର୍ଯ୍ୟ ପରିଚାଳନା ଲାଗି ଜରୁରି ଲୋକେ ଓ ନିତ୍ୟାନ୍ତ ଆବଶ୍ୟକ କରୁଥିବା ଗୋଷ୍ଠୀଙ୍କୁ ମଧ୍ୟ ଏହି ଟିକା ପ୍ରଦାନ କରାଯାଉଛି। ବିଶେଷ କରି ଜିଆସିଂ ସହରରେ ଏହି ଟିକା ମିଳୁଥିବା ବେଳେ ଏପର୍ଯ୍ୟନ୍ତ ଅନେକ ଲୋକେ ଟିକାକରଣ କରାଇ ସାରିଲେଣି।

ତେବେ ସ୍ଥାନୀୟ ପ୍ରଶାସନ ଏମାର୍ଜେନ୍ସୀ ବିଭାଗ ଏହି ଟିକାକରଣ କରାଉଥିବା କହିଛନ୍ତି। ସେହିପରି ଟିକା ପ୍ରସ୍ତୁତ କରୁଥିବା ଅନ୍ୟ କମ୍ପାନୀ ଚାଇନା ନ୍ୟାସନାଲ ବାୟୋଟେକ୍ ଗ୍ରୁପ୍ ଛାତ୍ରଙ୍କୁ ମାଗଣାରେ ଟିକା ଦେଉଥିବା ଜଣାପଡିଛି। ତେବେ ଏପରି ଡ୍ରଗ ରେଗ୍ୟୁଲେସନକୁ ନେଇ ତାଇୱାନ୍‌ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଅର୍ଣ୍ଣାଲ୍ଡ ଚାନ୍‌ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଠାରୁ ପରବର୍ତ୍ତି ସୂଚନା ସଂଗ୍ରହ ଔଷଧ ନିର୍ମାତାଙ୍କ କାମ। ଯଦି ସେମାନେ ଏପରି କିଛି କରୁନଥାନ୍ତି ତେବେ ଏହା ସେମାନଙ୍କର ଦାୟିତ୍ୱ ହୀନତା ଓ ଅନ୍ତର୍ଜାତୀୟ ମାନକ ଅନୁରୂପ ନୁହେଁ ବୋଲି କହିଛନ୍ତି।

ଚୀନ୍‌ରେ ଏପରି ଟିକାକରଣ ଲାଗି ୧ଲକ୍ଷ ୬୮ ହଜାର ଲୋକେ ୱେବ୍‌ ସାଇଟ୍‌ରେ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅନୁନ୍ୟ ୯୧ ହଜାର ଲୋକଙ୍କ ଟିକାକରଣ ଲାଗି ନିଷ୍ପତ୍ତି ହୋଇଥିଲା। ତେବେ ସେମାନଙ୍କୁ ପରେ ଟିକା ଦିଆଯାଇଛି କି ନା ତାହା ଜଣାନଥିବା ବେଳେ ୱେବ୍‌ ସାଇଟ୍‌ରୁ ପଞ୍ଜିକରଣ ପୋଷ୍ଟ ବାହାର କରିନିଆଯାଇଛି। ଚୀନ୍‌ରେ କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ମୋଟ ୫ଟି ଭେକ୍ସିନ ବିକଶିତ ହୋଇଛି। ତେବେ ତାହା ସାଧାରଣ ଲୋକଙ୍କ ଠାରେ ପ୍ରୟୋଗ ଲାଗି ସରକାରୀ ଅନୁମତି ପ୍ରଦାନ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.