ମହଙ୍ଗା ପଡ଼ିଲା ଯୁବତୀ ବିକ୍ରି; ଦୋଷୀକୁ ୫ ବର୍ଷ କାରାଦଣ୍ଡ ଶୁଣାଇଲେ ଅଦାଲତ
31/05/2023 at 11:44 PM

ବାରିପଦା ୩୧/୦୫: ଚାକିରୀ ଲୋଭ ଦେଖାଇ ୩ଜଣ ଝିଅଙ୍କୁ ବିକ୍ରି କରିବା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ ୫ବର୍ଷର କାରାଦଣ୍ଡ ସହ ୬ହଜାର ଟଙ୍କା ଜୋରିମାନା ଘୋଷଣା କଲେ କୋର୍ଟ। ଜୋରିମାନା ନ ମିଳିଲେ ୬ମାସ କାରାଦଣ୍ଡ ବଢ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତର ପରିଚୟ ବୁଦ୍ଧିନି ସିଂ। ସେ ବାରିପଦା ସଦର ଥାନା ଅନ୍ତର୍ଗତ ଜୟବିଲା ଗାଁର ବାସିନ୍ଦା।
ଖବର ଅନୁସାରେ, ବଡ଼ସାହି ଥାନା ଅଧୀନ ଖାନୂଆ ଗାଁର ଜଣେ ନାବାଳିକାଙ୍କ ସହିତ ୩ ଯୁବତୀଙ୍କୁ ମାସକୁ ୧୨ହଜାର ଟଙ୍କା ଦରମାର ଚାକିରୀ ଦେବାର ପ୍ରଲୋଭନ ଦେଖାଇ ବୁଦ୍ଧିନି ସିଂ ଓ ଶଙ୍କର ପାତ୍ର ରାଉରକେଲା ନେଇ ଯାଇଥିଲେ। ତେବେ ପାଞ୍ଚ ଦିନ ଧରି ଯୁବତୀଙ୍କ ମୋବାଇଲ ବନ୍ଦ ରହିବାରୁ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତଦ୍ୱୟ ଯୁବତୀଙ୍କୁ ନେଇ ରାଜସ୍ଥାନର କୋଟାରେ ୨ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଛି ବୋଲି ଜଣା ପଡ଼ିଥିଲା। ରାଜସ୍ଥାନ ପୋଲିସ ସହାୟତାରେ ଚାନ୍ଦିନୀ ନାୟକଙ୍କୁ ଉଦ୍ଧାର କରି ବଡ଼ସାହି ପୋଲିସ ଆଣିବା ପରେ ଘଟଣାର ପର୍ଦାଫାସ ହୋଇଥିଲା।

ଏନେଇ ବଡ଼ସାହି ଥାନାରେ ଅଭିଯୋଗ ନମ୍ବର ୪୪/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୁଦ୍ଧିନି ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ସମୟରେ ୧୧ଜଣ ସାକ୍ଷୀଙ୍କ ବୟାନ, ତଦନ୍ତ ରିପୋର୍ଟକୁ ଭିତ୍ତି କରି ଅତିରିକ୍ତ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଏହି ରାୟ ଶୁଣାଇଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଶଙ୍କର ପାତ୍ର ରାଜସ୍ଥାନରେ ବିଚାରଧୀନ କଏଦୀ ଭାବେ ସଜା କାଟୁଛି। ଏହି ମାମଲାକୁ ସରକାରୀ ଓକିଲ ବଜେନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ।