୫୦ହଜାର ଟଙ୍କା ତଣ୍ଡ ଗଣିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ
26/02/2020 at 7:25 PM

ଭଦ୍ରକ୨୬/୨: ଭଦ୍ରକ ଜିଲ୍ଲା ଧାମନଗର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ୫୦ହଜାର ଟଙ୍କା ଜରିମାନା । ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଯାଗାରେ ଅଳିଆ ପକାଯିବାକୁ ନେଇ ଅଭିଯୋଗ ପାଇବା ପରେ ଏଭଳି ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ସମାନ ସ୍ଥାନରେ ଓ୍ବେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ନିର୍ମାଣ ଯୋଜନାକୁ ନେଇ ମଧ୍ୟ ଦେଖାଦେଇଛି ବିବାଦ।
ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଜାଗାରେ ସହରର ଅଳିଆ ଆବର୍ଜନା ପକାଯିବା ଏବଂ ସେଠାରେ ଓ୍ବେଷ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ ପାଇଁ ଯୋଜନା କରାଯିବାକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦେଶ ସହ ଧାମନଗର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜରିମାନା କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ସେପଟେ ଏହି ସ୍ଥାନରେ ଓ୍ବେଷ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ ହେଲେ ସେହି ଅଂଚଳର ଚାଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେବେ ବୋଲି ମଧ୍ୟ ଅଭିଯୋଗ ହୋଇଛି ।
ବିବାଦୀୟ ଯାଗା ୨୦୦୯ ମସିହାରୁ ସରକାରୀ ଖାତାରେ ଅଛି ଏବଂ ସେଠାରେ ଓ୍ବେଷ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ଧାମନଗର ଫରେଷ୍ଟର ମଧ୍ୟ ଅନୁମତି ଦେବା ସହ ସ୍ଥାନ ପରିଦର୍ଶନ କରିଥିବା କହିଛନ୍ତି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏଥି ସହ ସେ ମାନବାଧିକାର କମିଶନଙ୍କ ଜରିମାନା ନିର୍ଦେଶ ପାଇଛନ୍ତି ଓ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି । ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଓ୍ବେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣର ଆବଶ୍ୟକତା ରହିଛି । ହେଲେ ଏଥି ପାଇଁ କାହାର ନିଜସ୍ବ ଜମିକୁ କବ୍ଜାକୁ ନେବାକୁ ଯେଉଁ କୁମନ୍ତ୍ରଣା କରାଯାଇଛି ତାକୁ ନେଇ ଏଭଳି ଜରିମାନା ନିର୍ଦେଶ ଦେଇଛନ୍ତି ମାନବାଧିକାର କମିଶନ ।