ଲାଞ୍ଚ ନେଇ ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଗିରଫ
14/08/2018 at 10:11 AM

ପୁରୀ ୧୪/୮ : ଭିଜିଲାନ୍ସ ଦ୍ୱାରା ପୁରୀ ଜିଲ୍ଲା ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ଗିରଫ । ଲାଞ୍ଚ ନେବା ଅଭିଯୋଗରେ ସବ୍ ଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ନିକଟରୁ ୮ ହଜାର ୫ଶହ ଟଙ୍କା ଜବତ କରାଯାଇଛି। ପୁରୀ ଚନ୍ଦନପୁର ଥାନା ଚାଳିଶିବାଟିଆ ଅଞ୍ଚଳର ପ୍ରସନ୍ନ ଦାସଙ୍କର ଏକ ଅବକାରୀ କେସ୍ ରହିଥିଲା। ଏହି ମାମଲାକୁ ସମାଧାନ କରିବା ସହ ଆଗକୁ ବ୍ୟବସାୟ ପାଇଁ ସବ୍ ଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ପ୍ରସନ୍ନ ଭିଜିଲାନ୍ସକୁ ଖବର ଦେବା ପରେ ଯୋଜନା ମୁତାବକ ପ୍ରସନ୍ନ ଅବକାରୀ ଅଧିକାରୀ ସର୍ଯ୍ୟଙ୍କୁ ସଦର ଥାନା ପାଖକୁ ଡ଼ାକି ଟଙ୍କା ଦେଇଥିଲେ। ପୁରୀ ଓ ଭୁବନେଶ୍ବରର ଭିଜିଲାନ୍ସ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ଲାଞ୍ଚ ଟଙ୍କାକୁ ଜବତ କରିବା ସହ ଅବକାରୀ ସବ୍ ଇନ୍ସପେକ୍ଟର ସୂର୍ଯ୍ୟଙ୍କୁ ଗିରଫ କରିଛନ୍ତି । ତେବେ ସୂର୍ଯ୍ୟଙ୍କ ପୁରୀ ସ୍ଥିତ ବାସଭବନ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।