ଆକ୍ସନରେ ଅବକାରୀ ବିଭାଗ, ବିଭିନ୍ନ ଅଞ୍ଚଳରେ ଚଢାଉରେ ଦେଶୀ ମଦ ସହ ପୋଚ ଜବତ
10/09/2023 at 12:24 PM

ଆଠଗଡ଼ ୧୦।୦୯ : ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ। ଯେତେ ଖୋଜିଲେ ସେତେ ବାହାରୁଛି ଦେଶୀ ମଦ ସହିତ ପୋଚ । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ଅବକାରୀ ବିଭାଗ ପକ୍ଷରୁ ଆଠଗଡ ଥାନା କୋରଙ୍ଗା ଗାଁର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଏହି ଚଢାଉରେ ୧୩୭୯୦ ଲିଟର ମଦ ଓ ୧୧୯୦ ଲିଟର ପୋଚ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ସୂଚନା ମିଳିଛି । ସେହିପରି ତିଗିରିଆ ଥାନା ଭିରୁଡ଼ା, ପଣସପାଟଣା, ଅଚଳକୋଟ ଏବଂ ପାଞ୍ଚଗାଁରେ ଚଢାଉ କରାଯାଇ ୧୧୯୦୦ ଲିଟର ପୋଚ ଓ ୧୨୫୮ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଏହାବ୍ୟତୀତ ୫୨୦୦ ଲିଟର ଚୋରା ବିଦେଶୀ ମଦ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି ।

ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ୬୩ ବର୍ଷୀୟ ଚୈତନ୍ୟ ଜେନା ,୫୦ ବର୍ଷୀୟ ବିଚିତ୍ରାନନ୍ଦ ସାହୁ,୫୦ ବର୍ଷୀୟ ଚଞ୍ଚି ଜେନା । ସମସ୍ତେ ତିଗିରିଆ ଥାନା ଅଚଳକୋଟ ଗାଁର ହେଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଠଗଡ଼ ଥାନା କୋରଙ୍ଗା ଓ ତିଗିରିଆ ଥାନା ଭିରୁଡ଼ା, ପଣସପାଟଣା, ଅଚଳକୋଟ ଏବଂ ପାଞ୍ଚଗାଁ ଅଞ୍ଚଳରେ ଦେଶି ମଦ ଓ ପୋଚ ତିଆରି ସୂଚନା ମିଳିଥିଲା । ତେବେ ଅବକାରୀ ବିଭାଗ ଲଗାତର ଭାବେ ଏହି ସବୁ ଅଞ୍ଚଳରେ ଚଢାଉ କରୁଥିଲେ ବି ଏଥିରେ ରୋକ ଲାଗିପାରୁନି ।