Budget ପୂର୍ବରୁ CJIଙ୍କ ବଡ ବୟାନ, କହିଲେ ନାଗରିକଙ୍କୁ ଅଧିକ ଶୁଳ୍କ ସାମାଜିକ ଅନ୍ୟାୟ

Published By : Prameya-News7 Bureau | January 24, 2020 IST

ନୂଆଦିଲ୍ଲୀ ୨୪।୧: ସଂସଦରେ ବଜେଟ୍ ଉପସ୍ଥାପନ ପୂର୍ବରୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଏ.ବୋବଡେ ଶୁକ୍ରବାର ଟ୍ୟାକ୍ସ ରିଫର୍ମକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଜନତାଙ୍କ ଉପରେ ସରକାର ଅଧିକ ଅଥବା ମନଇଛା ଶୁଳ୍କ ଲାଗୁ କରିବା ସାମାଜିକ ଅନ୍ୟାୟ। ସେହି ଶୁଳ୍କ ଠକେଇକୁ ମଧ୍ୟ ମୁଖ୍ୟ ବିଚାରପତି ଅନ୍ୟାୟ ବୋଲି କହିଛନ୍ତି। ଯେଉଁମାନେ ଏପରି କରୁଛନ୍ତି ସେମାନେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ଉଚିତ ଶୁଳ୍କ ବ୍ୟବସ୍ଥା ଉପରେ ପ୍ରଧାନ ବିଚାରପତି ଗୁରୁତ୍ୱ ଦେଇଥିବା ବେଳେ ଦେଶର ପ୍ରାଚୀନ ଶୁଳ୍କ ବ୍ୟବସ୍ଥାର ବି ଉଦାହରଣ ଦେଇଛନ୍ତି।

ଶୁକ୍ରବାର ଆୟକର ଆପିଲେଟ ଟ୍ରିବ୍ୟୁନାଲର ୭୯ତମ ସ୍ଥାପନା ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟ ବିଚାରପତି କହିଥିଲେ ଯେ ଶୁଳ୍କ ବ୍ୟବସ୍ଥା ସେପରି ହେବା ଉଚିତ ଯେପରି ମହୁମାଛି ଫୁଲର କୌଣସି କ୍ଷତି ନକରି ତାର ରସ ବାହାର କରିନିଏ। ଆଗକୁ ସଂସଦର ବଜେଟ ଅଧିବେଶନ ଥିବା ବେଳେ ପ୍ରଧାନ ବିଚାରପତିଙ୍କ ଏଭଳି ବୟାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରୀ ୧ ତାରିଖରେ ସଂସଦରେ ୨୦୨୦-୨୧ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିବାକୁ ଥିବା ବେଳେ ଏହି ବୟାନ ଆସିଛି। ସାଧାରଣତଃ ନ୍ୟାୟପାଳିକା ଏପର୍ଯ୍ୟନ୍ତ ଏଭଳି ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଆସିଛି।

ତେବେ ଦେଶ ଲାଗି ସଂସାଧନ ଯୋଗାଡରେ ଟ୍ୟାକ୍ସ ଜୁଡିସିଆରିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବୋବଡେ କହିଛନ୍ତି। ଏଣୁ କୋର୍ଟମାନଙ୍କରେ ଲମ୍ବିତ ଶୁଳ୍କ ସମ୍ବଦ୍ଧିତ ମାମଲାଗୁଡିକୁ ନେଇ ପ୍ରଧାନବିଚାରପତି ଚିନ୍ତାବ୍ୟକ୍ତ କରିଥିଲେ। ତେବେ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ସିଇଏଟିଏଟିରେ ବିଚାରାଧୀନ ପରୋକ୍ଷ କର ସମ୍ପର୍କିତ ମାମଲା ହାର ୬୦ ପ୍ରତିଶତକୁ ହ୍ରାସ ପାଇଥିବା ବୋବଡେ କହିଥିଲେ। ସୂଚନା ମୁତାବକ ୩୦ ଜୁନ ୨୦୧୭ ପର୍ଯ୍ୟନ୍ତ ଦେଶର କୋର୍ଟମାନଙ୍କରେ ପ୍ରାୟ ୨ଲକ୍ଷ ୭୩ ହଜାର ୫୯୧ଟି ମୋକଦ୍ଦମା ବିଚାରାଧୀନ ଥିଲା। ତେବେ ୩୧ ମାର୍ଚ୍ଚ ୨୦୧୯ ବେଳକୁ ଏହି ସଂଖ୍ୟା ୧ଲକ୍ଷ ୫ ହଜାର୭୫୬ରେ ପହଞ୍ଚିଥିଲା।

ଶୁଳ୍କ ବିବାଦର ସମାଧାନ ପ୍ରୋତ୍ସାହନ ଭଳି
ସେହିପରି ପ୍ରତ୍ୟକ୍ଷକର ବିବାଦ ସମ୍ପର୍କରେ ପ୍ରଧାନବିଚାରପତି ସୂଚନା ଦେଇ ଏପରି ୩.୪୧ ଲକ୍ଷ ମାମଲା କେବଳ କମିଶନରଙ୍କ ନିକଟରେ ଲମ୍ବିତ ଥିବା କହିଥିଲେ। ସେହିପରି ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ୯୨ ହଜାର ୨୦୫ଟି କେସ୍ ଆପିଲେଟ୍ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିଲା। ତେବେ ଏଭଳି ମାମଲାର ଶୀଘ୍ର ସମାଧାନ ଶୁଳ୍କଦାତାଙ୍କ ଲାଗି ପ୍ରୋତ୍ସାହନ ଭଳି ବୋଲି ସିଜେଆଇ କହିଛନ୍ତି। ଏଥିରୁ ମୋକଦ୍ଦମାରେ ଫଶି ରହିଥିବା କରଦାତାଙ୍କ ପାଣ୍ଠି ବି ସହଜରେ ବାହାରି ଯାଇଥାଏ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.