ସ୍ମାର୍ଟଫୋନ୍ ବ୍ୟବହାର ଦ୍ବାରା ଶୁଖିଯାଉଛି ଆଖିର ପାଣି: ଡ୍ରାଏ ଆଇ ସିଣ୍ଡ୍ରୋମ୍‌ ସମସ୍ୟାରେ ବହୁ ଲୋକ ହେଲେଣି ଆକ୍ରାନ୍ତ, ଜାଣନ୍ତୁ ଲକ୍ଷଣ

Published By : Prameya-News7 Bureau | August 26, 2019 IST

ସହରର ଏକ ପ୍ରତିଷ୍ଠିତ ସ୍କୁଲରେ ପାଠ ପଢୁଥିବା ୬ ବର୍ଷର ଜଣେ ଛାତ୍ରୀଙ୍କୁ ତାଙ୍କ ମା ବାପା ନେତ୍ର ରୋଗ ଓପିଡି ନେଇ ଯାଇଥିଲେ। ତାଙ୍କ ଝିଅ ସବୁବେଳେ ଆଖି ଦଳୁଥିବା କଥା ସେ ଡାକ୍ତରଙ୍କୁ କହିଥିଲେ। ବିନା କୌଣସି କାରଣରୁ ଆଖିରୁ ପାଣି ବାହାରେ। ପଢିବା ପାଇଁ ବସିବା ମାତ୍ରେ ଆଖି ଦଳିବା ଆରମ୍ଭ ହୋଇଥାଏ। ଡାକ୍ତର ଏହାକୁ ଡ୍ରାଏ ଆଇ ସିଣ୍ଡ୍ରୋମ୍‌ କହିଥିଲେ । ଏହା ଆଖିରୁ ପାଣି ଶୁଖିବା ରୋଗ। ଏହା ଦ୍ବାରା ଆଖିକୁ ବାରମ୍ବାର ପାଣିରେ ଧୋଇଲେ ମଧ୍ୟ ଶାନ୍ତି ମିଳିନଥାଏ।

ଠିକ୍‌ ଏହିଭଳି ସମସ୍ୟା ଜଣେ ୩୮ ବର୍ଷ ବୟସ୍କ ବ୍ୟବସାୟୀଙ୍କୁ ମଧ୍ୟ ହୋଇଛି। ଏହି ସମସ୍ୟା ହେଲେ ଲାଗେ ଯେମିତି ଆଖିରେ କିଛି ପଡିଯାଇଛି। ଠିକ୍‌ ସମୟରେ ଏହାର ଉପଚାର ନହେଲେ ସମସ୍ୟା ଅଧିକ ବଢିପାରେ। ଡାକ୍ତରଙ୍କ ଅନୁସାରେ ପ୍ରଥମେ ପ୍ରଦୂଷଣ ବା କମ୍ପ୍ୟୁଟର ବ୍ୟବହାର ଯୋଗୁଁ  ଲୋକେ ଏହି ରୋଗର ସାମ୍ନା କରନ୍ତି। 

ଏହା ବ୍ୟତୀତ ଅଧିକ ମାତ୍ରାର ଔଷଧ ଖାଇଲେ ଓ ଶରୀରରେ ଭିଟାମିନ୍‌ ଏ ଅଭାବ ଥିଲେ ଏହି ରୋଗରେ ପିଡୀତ ହୁଅନ୍ତି।  ହେଲେ ଗତ ୨ ବର୍ଷ ହେବ ଏହି ରୋଗର ବଢିବା କାରଣ ମୋବାଇଲ ଫୋନ୍‌ ହୋଇଛି।  ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଜାଣନ୍ତୁ ଏହି ରୋଗର ଲକ୍ଷଣ ଜାଣିବା ଅତ୍ୟନ୍ତ ଜରୁରୀ।

ଡ୍ରାଏ ଆଇ ସିଣ୍ଡ୍ରୋମ୍‌ ରୋଗର ଲକ୍ଷଣ ହେଉଛି, ଆଖିରୁ ପାଣି କମ ବାହାରିବା। ଆଖି ଜିଳିବା, ଆଖି ଫୁଲିବା, ଆଖିରୁ ଅଧିକ ପାଣି ବାହାରିବା ମଧ୍ୟ ଏହି ରୋଗର ଲକ୍ଷଣ ହୋଇପାରେ। ଆଖିର ଏହି ସ୍ଥିତି ଲେସିକ୍‌ ବା କ୍ୟାଟେରାକ୍ଟ ଉପରେ ଅଧିକ ପ୍ରଭାବ ପକାଇପାରେ।

ଏହି ଭଳି ସମସ୍ୟାରୁ ଦୂରାଇ ରହିବା ପାଇଁ ମୋବାଇଲ ଫୋନ୍‌ କମ ବ୍ୟବହାର କରିବା ଉଚିତ୍‌। ଆଜିକାଲିର ଧାଁ ଦୌଡ ଜୀବନରେ ସମସ୍ତଙ୍କୁ ସବୁ ଜିନିଷ ଶୀଘ୍ର ଦରକାର। ଘରେ ଛୋଟ ଛୋଟ ପିଲା ନଖାଇଲେ ତାଙ୍କୁ ମୋବାଇଲ ଦିଆଯାଏ। ହେଲେ ଏଭଳି ଉପାୟ କରିବା ଅନୁଚିତ୍‌। ଏପିଲାଛୁଆଙ୍କ ମନ ବଦଳାଇବା ପାଇଁ ଟିଭି ଚଲାନ୍ତୁ କିନ୍ତୁ ମୋବାଇଲ ଦିଅନ୍ତୁ ନାହିଁ।  

ଆଜିକାଲିର ଯୁବପିଢୀ ଦିନ ସାରା କାମ କରି ଥକା ମେଣ୍ଟେଇବା ପାଇଁ ଓ ଆରାମ ପାଇବା ପାଇଁ ସୋସିଆଲ ମିଡିଆରେ ଚ୍ୟାଟିଂଠୁ ଆରମ୍ଭ କରି ଭିଡିଓ ଦେଖନ୍ତି। ରାତିରେ ଶୋଇବା ପୂର୍ବରୁ ଗେମ୍‌ ଖେଳିବା ଓ ଫିଲ୍ମ ଦେଖିବା ମଧ୍ୟ ଏହି ସମସ୍ୟାକୁ ବଢାଏ।

ଏହି ସବୁ ଅଭ୍ୟାସ ସମସ୍ତଙ୍କୁ ଛାଡିବା ଜରୁରୀ। ରୁମ୍‌ର ଲାଇଟ୍‌ ବନ୍ଦ ହେବା ପରେ ମୋବାଇଲରେ ଅଧିକ ସମୟ କାମ କରିବା କ୍ଷତିକାରକ ହୋଇପାରେ। ଅଧିକ ସମୟ ଫୋନ୍‌କୁ ଲଗାତର ଦେଖିଲେ ଆଖିକୁ ଅକ୍ସିଜେନ୍‌ ମିଳିନଥାଏ। ଫଳରେ ଆଖିର ଅନେକ ସମସ୍ୟା ବଢିଥାଏ। ଏଥିରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ମୋବାଇଲଠୁ ନିଜକୁ ଦୂରେଇ ରଖିବା । ଏହି ରୋଗ ାକିକୁ ସବୁଦିନ ପାଇଁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇପାରେ । ଏହାର କୌଣସି ଉପଚାର ମଧ୍ୟ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.