ଜେଲରୁ ଫେରିବା ପରେ ଦେଖିଲେ ଅନଲାଇନ୍ କ୍ଲାସ୍ ଲାଗି ଝିଅର ସଂଘର୍ଷ, ବନ୍ଦୀ ଜୀବନର ଆୟରେ କିଣି ଦେଲେ ମୋବାଇଲ ଫୋନ

Published By : Prameya-News7 Bureau | August 31, 2020 IST

ରାୟପୁର : ଦୀର୍ଘ ୧୫ ବର୍ଷ ପରେ ସଜା କାଟି ଜେଲରୁ  ଫେରିବା ପରେ ଜଣେ ଅପରାଧୀ ଜୀବନର ସଂଘର୍ଷ କଣ ପ୍ରଥମ ଥର ତାଙ୍କ ଝିଅଠୁ ଶିଖିଛନ୍ତି। କୋଭିଡ ଯୋଗୁ ବିଦ୍ୟାଳୟ ପାଠପଢା ବନ୍ଦ ଥିବା ବେଳେ ଅନଲାଇନ୍ କ୍ଲାସ୍‌ ଲାଗି ସଂଗ୍ରାମ ଜାରି ରଖିଥିଲା ଝିଅ। ପାଠ ପଢା ସୁଗମ କରିବା ଲାଗି ଜେଲରେ କରିଥିବା ଉପାର୍ଜନରେ ଝିଅ ପାଇଁ ମୋବାଇଲ ଫୋନଟିଏ କିଣି ଦେଇଛନ୍ତି।

ଉତ୍ତର ଛତିଶଗଡ ଅମ୍ବିକାପୁରର ଅମଦରହା ଗ୍ରାମର ବାସିନ୍ଦା ଆନନ୍ଦ ନାଗସ୍ୟ ପାରିବାରିକ ଅସନ୍ତୋଷରୁ ତାଙ୍କ କକାଙ୍କୁ ହତ୍ୟା କରିଥିଲେ। ଏଥିଲାଗି ତାଙ୍କୁ ୨୦୦୫ ମସିହାରେ ଜେଲଦଣ୍ଡାଦେଶ କରିଥିଲେ କୋର୍ଟ। ଜେଲରେ ୧୫ ବର୍ଷ ୫ ମାସ ସଜା କାଟି ଆନନ୍ଦ ପାରିବାର ସହ ବାକି ଜୀବନ ଖୁସିରେ କଟାଇ ଦେବାକୁ ଗାଁକୁ ଆସିଥିଲେ। ହେଲେ ପାଠ ପଢା ଲାଗି ଝିଅର ସଂଘର୍ଷ ତାଙ୍କର ସବୁ କୁସି ଉଡାଇ ଦେଇଥିଲା।

ଆନନ୍ଦଙ୍କ ଝିଅ ଯାମିନୀ ସରକାରୀ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ।  ତେବେ ଅନଲାଇନ୍‌ କ୍ଲାସ ଲାଗି ସ୍ମାର୍ଟ ଫୋନଟିଏ ନଥିବାରୁ ବଡ ଅସୁବିଧାର ସମ୍ମୁଖୀନ ହେଉଥିଲା। ଏଣୁ ଆନନ୍ଦ ଜେଲରେ ଥିବା ଦିନମାନଙ୍କରେ କରିଥିବା କାମ ଲାଗି ପାଇଥିବା ପାରିଶ୍ରମିକରେ ଝିଅ ଲାଗି ଏକ ସ୍ମାର୍ଟ ଫୋନଟିଏ କିଣି ଆଣିଛନ୍ତି।

ଜେଲରେ ଥିବା ବେଳେ ପାଠ ପଢିବାର ମୂଲ୍ୟ କଣ ତାହା ବୁଝିପାରିଥିଲେ। ଏଣୁ ଝିଅର ପାଠ ପଢାରେ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଯାହା ଦରକାର ସିଏ କରିବେ ବୋଲି କହିଛନ୍ତି। ଆନନ୍ଦକୁ ଜେଲରୁ ସମୟ ପୂର୍ବରୁ ମୁକ୍ତ କରିଦିଆଯାଇଛି। ଗତ ସ୍ୱାଧୀନତା ଦିବସରେ ଅନ୍ୟ ୧୯ ଜଣଙ୍କ ସହ ଆନନ୍ଦ ମଧ୍ୟ ତାଙ୍କ ଉତ୍ତମ ଆଚରଣ ଲାଗି ଜେଲରୁ ମୁକ୍ତ ହୋଇଥିଲେ। ବାକି ସମୟ ପରିବାରକୁ ଦେବା ଲାଗି ଆନନ୍ଦ ଘରକୁ ଆସିଥିବା ବେଳେ ପରିବାରର ବାସ୍ତବିକ ଅସୁବିଧା କଣ ପ୍ରଥମ ଥର ଜାଣି ପାରିଛନ୍ତି। ଏଥିରେ ତାଙ୍କ ଝିଅ ଜଣେ ଡାକ୍ତର ହେବାକୁ ଜୀବନର ଲକ୍ଷ ରଖିଛନ୍ତି। ତାର ସ୍ୱପ୍ନ ପୂରଣ କରିବାକୁ ଆନନ୍ଦ ଏବେ ସବୁ ମନ୍ତେ ଉଦ୍ୟମ କରିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.