ନିଜକୁ ଗୁଳି କରି ଜୀବନ ହାରିଲେ ଆଟଲାସ ସାଇକେଲ ପୂର୍ବତନ ଅଧ୍ୟକ୍ଷ ସଲିଲ କପୁର !

Published By : Prameya-News7 Bureau | September 03, 2024 IST

indiatoday

ନୂଆଦିଲ୍ଲୀ: ଆଟଲାସ ସାଇକେଲ ପୂର୍ବତନ ଅଧ୍ୟକ୍ଷ ସଲିଲ କପୁର ଆତ୍ମହତ୍ୟା କରିଛନ୍ତି ! ଦିଲ୍ଲୀର ଏପିଜେ ଅବଦୁଲ କଲାମ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ୬୫ ବର୍ଷୀୟ ସଲିଲ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ବିଷୟରେ ଖବର ପାଇବା ପରେ  ରାତି ପ୍ରାୟ ୨.୩୦ରେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା। 

କପୁରଙ୍କ ମୃତଦେହ ପାଖରୁ ପୁଲିସ ଏକ ସୁଇସାଇଡ ନୋଟ୍ ଜବତ କରିଥିବା ସୂଚନା ମିଳିଛି। ତେବେ କିଛି ଲୋକଙ୍କ ଦ୍ୱାରା ସେ ଅପମାନିତ ହୋଇଥିବାରୁ ଆତ୍ମହତ୍ୟା କରିଥିବା ସଲିଲ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ତେବେ କିଏ ତାଙ୍କୁ ଅପମାନିତ କଲେ? ଘର ଲୋକ ନା ବାହାର ଲୋକ? କିମ୍ବା ବ୍ୟବସାୟରେ ବିଫଳତା ଓ ଋଣ ଭାର ଯୋଗୁ ଆତ୍ମହତ୍ୟ କରିଛନ୍ତି ତାରା କାରଣ ସ୍ପଷ୍ଟ ଜଣାପ଼ଡ଼ି ନାହିଁ। ମାମଲାରେ ପୁଲିସ ତଦନ୍ତ ଜାରି ରଖିଛି। 

ତେବେ ଘଟଣା ସମ୍ପର୍କରେ ଜଣେ ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ନିଜର ତିନି ମହଲା ଘରେ ଗ୍ରାଉଣ୍ଡ ଫ୍ଲୋରରେ ରକ୍ତାକ୍ତ ଅବସ୍ଥାରେ ସଲିଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଠିକ୍ ଠାକୁରଘର ପାଖରେ ଏହା ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ନିଆଯାଇଥିଲା। ହେଲେ ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ମୃତ୍ୟ ହୋଇସାରିଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ପୁଲିସ ସବୁ ଦିଗରୁ ଘଟଣାର ତଦନ୍ତ କରୁଛି। 

୨୦୧୫ରେ ୯ କୋଟି ଟଙ୍କା ଠକେଇ ମାମଲାରେ ସଲିଲଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସର ଇଓଡବ୍ଲୁ ଡିଫେନ୍ସ କଲୋନୀ ଥାନାରେ ତାଙ୍କ ବିରୋଧରେ ଦୁଇଟି ମାମଲା ହୋଇଥିଲା। ସେହିପରି ୨୦୨୦ରେ ତାଙ୍କ ଭାଉଜ ନତାଶା କପୁର ମଧ୍ୟ ଆତ୍ମହତ୍ୟା କରିଥିଲେ। ସେ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି ବୋଲି ସୁଇସାଇଟ ନୋଟ୍‌ରେ ଲେଖି ଆତ୍ମହତ୍ୟା କରିଥିଲେ ନତାସା।

ସତର୍କ ସୂଚନା- ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ। ଜୀବନରେ ଥାଇ ବହୁ ବଡ଼ ବଡ଼ ସମସ୍ୟାର ସମାଧାନ କରିହେବ। ହେଲେ ଏଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଏଭଳି ମାନସକିତା ମନକୁ ଘାରିଲେ ତୁରନ୍ତ ମନୋବିଜ୍ଞାନୀ ଓ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.