ଚିଟ୍‌ଫଣ୍ଡ ସ୍କାମ : ବନ୍ଧାହେଲେ ପୂର୍ବତନ ବିଧାୟକ, ରେଡ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

Published By : Prameya-News7 Bureau | September 07, 2021 IST

ବିଶାଖାପାଟନମ୍‌ ୦୭/୦୯ : ଶେଷରେ ବନ୍ଧାହେଲେ ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ । ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତାଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ୨୦୧୯ ଚିଟ୍‌ଫଟ୍‌ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟନାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ସୋମବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୋଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍‌ଭି ପ୍ରସାଦଙ୍କ ଘରେ ରେଡ୍‌ କରିଥିଲା ।

ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଏଥିସହ ଘରେ ଚଢ଼ାଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି ନାଁରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି ।

୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା । ତେବେ ପରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି । ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍‌ଭି ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.