ଜେଲରୁ ମୁକୁଳିଲେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ଗତ ବର୍ଷ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଜିଲ୍ଲା ଦୌରା ଜଜ୍‌

Published By : Prameya-News7 Bureau | May 22, 2024 IST

ବ୍ରହ୍ମପୁର: ଜେଲରୁ ମୁକୁଳିଲେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ। ହାଇକୋର୍ଟ ଜାମିନ ମଞ୍ଜୁର କରିବା ପରେ ବୁଧବାର ଜେଲରୁ ବାହାରିଛନ୍ତି ପୂର୍ବତନ ବିଧାୟକ। ୧୯୯୮ ମସିହାରେ ଜଣେ ପୋଲିସ କର୍ମଚାରୀଙ୍କ ହତ୍ୟା ଘଟଣାରେ ୨୦୨୩ରେ ମସିହା ଜୁଲାଇରେ ତାଙ୍କୁ ଆଜୀବନ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। 

ଖାଲି ତାଙ୍କୁ ନୁହେଁ ଏହି ମାମଲାରେ ଆଉ ୧୨ ଜଣଙ୍କୁ ମଧ୍ୟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଜିଲ୍ଲା ଦୌରା ଜଜ। ଅବଶ୍ୟ ପରେ ସେପ୍ଟେମ୍ବରରେ ନାରାୟଣ ରେଡ୍ଡୀଙ୍କ ଉପରେ ଧାର୍ଯ୍ୟ ଜରିମାନା ଉପରେ ରହିତାଦେଶ ଲଗାଇଥିଲେ ହାଇକୋର୍ଟ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୯୯୮ ଜୁନ୍ ୧୮ ତାରିଖରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ-ଜନସାଧାରଣ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର କର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କୁ ଆନ୍ଦୋଳନକାରୀ ହତ୍ୟା କରିଥିଲେ । ଏହା ସହ ଜିଲ୍ଲାପାଳ ଓ ଏସପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟ ଉଦ୍ୟମ କରାଯାଇଥିଲା ।

ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କୁ ହତ୍ୟା ଘଟଣାରେ ଛତ୍ରପୁର ଥାନାରେ ୧୧୫/୧୮୯୮ରେ ଦଫା ୩୦୨ ଅନୁସାରେ ‌ମାମଲା ରୁଜୁ ହୋଇଥିଲା । ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ । ମାମଲାର ବିଚାରଣା ସମୟରେ ୨୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି ।

୧୩ ଜଣ ହେଉଛନ୍ତି ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ (୬୮), ପି. କାମରଜୁ ରେଡ୍ଡୀ (୭୫), କାଳିଆ ସେଠୀ (୪୫), ଏନ. ଦିଲ୍ଲୀପ କୁମାର ରେଡ୍ଡୀ (୫୦), ଗୁରୁଦେବ ବେହେରା (୫୦), ପି. ନାଗେଶ୍ୱର ରେଡ୍ଡୀ (୬୫), ପି. ଡ଼ମ୍ବୁରୁ ରେଡ୍ଡୀ (୬୬), ଲଣ୍ଡା ଚନ୍ଦ୍ରମଣୀ ରେଡ୍ଡୀ (୬୦), ଦୁନା କାମରାଜୁ ବୁର୍ମା (୬୯), ପୁଟି ପଟୁଡ଼ୁ ( ୬୮), ଟୁନା ବେହେରା (୫୨), ଆର. ଘାନା ରେଡ୍ଡୀ (୬୦) ଏବଂ ସୁଦାମ ରାଉଳ (୫୯) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.