୫ ଦିନ ପରେ ବି ମିଳୁନି ନିଖୋଜ ବିଧାୟକଙ୍କ ପତ୍ତା, ଷ୍ଟେସନ ଓ ବସଷ୍ଟାଣ୍ଡରେ ଛାନଭିନ୍ ସହ ସିସିଟିଭି ଆଧାରରେ ଚାଲିଛି ଯାଞ୍ଚ

Published By : Prameya-News7 Bureau | May 17, 2022 IST

ଭୁବନେଶ୍ୱର ୧୭/୦୫: କେଉଁଠି ଅଛନ୍ତି ଆସିକାର ପୂର୍ବତନ ବିଧାୟକ ସରୋଜ କୁମାର ପାଢୀ । ନିଖୋଜ ହେବାର ୫ ଦିନ ବିତିଯାଇଥିଲେ ବି ତାଙ୍କର କୌଣସି ଖୋଜଖବର ମିଳିନାହିଁ । ନିଖୋଜ ନେଇ ଗତ ୧୨ ତାରିଖରେ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ସେହିଦିନ ସକାଳ ୭ଟାରେ ଘରୁ ସରୋଜ କୁଆଡେ ପଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ ।

ତାଙ୍କୁ ଖୋଜିବାକୁ କ୍ୟାପିଟାଲ ଥାନା ଆଇଆଇସିଙ୍କ ନେତୃତ୍ବରେ ଟିମ୍ ଗଠନ କରାଯାଇଛି । ସେ କେଉଁ କେଉଁ ସ୍ଥାନକୁ ଯାଇପାରନ୍ତି, ସେସବୁ ସ୍ଥାନରେ ଅନୁଧ୍ୟାନ କରୁଛି ପୋଲିସ । ସମସ୍ତ ସମ୍ପର୍କୀୟଙ୍କୁ ଯୋଗଯୋଗ କରାଯାଉଛି । ରାଜ୍ୟର ବିଭିନ୍ନ ଥାନାକୁ ସରୋଜଙ୍କ ଫଟୋ ଓ ତାଙ୍କର ତଥ୍ୟ ପଠାଯାଇଛି । ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଆଦି ସ୍ଥାନରେ ଛାନଭିନ୍ କରିବା ସହ ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି ।

ସୂଚନା ଅନୁଯାୟୀ, ଗତ ୧୨ ତାରିଖରୁ ସରୋଜ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ପୁଅ ଥାନାରେ ଏତଲା ଦେଇଥିଲେ । ୨୦୦୪ରେ କଂଗ୍ରେସ ଟିକେଟରେ ଆସିକାରୁ ଜିତିଥିଲେ ସରୋଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.