ଜେଲରୁ ମୁକୁଳିବେ ଅନିଲ ଦେଶମୁଖ, ଜାମିନ ଉପରେ ରୋକ ଲଗାଇବାକୁ ମନା କଲେ ବମ୍ବେ ହାଇକୋର୍ଟ, CBIର ଆବେଦନ ଖାରଜ
27/12/2022 at 7:56 PM

ମୁମ୍ବାଇ ୨୭।୧୨: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଜେଲରୁ ମୁକୁଳିବେ। ବମ୍ବେ ହାଇକୋର୍ଟ ମଞ୍ଜୁର କରିଥିବା ଜାମିନ ଉପରେ ରୋକ ଅବଧି ବଢାଇବାକୁ ମଙ୍ଗଳବାର ମନା କରିଦେଇଛନ୍ତି। ଏଣୁ ଦେଶମୁଖ ବୁଧବାର ଜେଲରୁ ମୁକୁଳିପାରନ୍ତି ବୋଲି ଆଶା କରାଯାଉଛି। ବମ୍ବେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଏସ୍.କାର୍ଣ୍ଣିକ୍ ୭୩ ବର୍ଷ ବୟସ୍କ ଏନସିପି ନେତା ଅନିଲ ଦେଶମୁଖଙ୍କୁ ଡିସେମ୍ବର ୧୨ ତାରିଖ ଦିନ ଜାମିନ ମଞ୍ଜୁର କରିଥିଲେ। ତେବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସିବିଆଇ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଥିଲା। ଏଣୁ ହାଇକୋର୍ଟ ଆଦେଶ ଉପରେ ୧୦ ଦିନର ରୋକ ଲଗାଇ ଦେଇଥିଲେ।
ତଦନ୍ତକାରୀ ସଂସ୍ଥାନ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଛନ୍ତି। ତେବେ ଆବେଦନ ଉପରେ ଶୁଣାଣି ଆଗାମୀ ବର୍ଷ ହେବ। କାରଣ ସୁ୍ପ୍ରିମ କୋର୍ଟର ଏବେ ଶୀତକାଳୀନ ଅବକାଶ। ତେବେ କୋର୍ଟ ଗତ ସପ୍ତାହରେ ସିବିଆଇଙ୍କ ଆବେଦନ ଉପରେ ଜାମିନ ଆଦେଶ ରୋକକୁ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ହେଲେ ସିବିଆଇ ମଙ୍ଗଳବାର ରୋକ ଅବଧିକୁ ସମ୍ପ୍ରସାରଣ ଲାଗି ନିବେଦନ କରିଥିବା ବେଳେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ସିବିଆଇଙ୍କ ଆବେଦନ ଉପରେ ଦେଶମୁଖଙ୍କ ଓକିଲ ଅନିକେତ ନିକମ ଓ ଇନ୍ଦ୍ରପାଲ ସିଂହ ଉଚ୍ଚ ନ୍ୟାୟାଳୟଙ୍କ ପ୍ରଥମ ଆଦେଶକୁ ସିବିଆଇ ବିଫଳ କରିବାକୁ ପ୍ରୟାଶ କରୁଥିବା ଅଭିଯୋଗ କରିଥିଲେ। ତେବେ କୌଣସି ପରିସ୍ଥିତିରେ ଆଉ ଏକ ସମ୍ପ୍ରସାରଣ ମିଳିବା କଥା ନୁହେଁ ବୋଲି ଓକିଲ ତର୍କ ରଖିଥିଲେ। ଏଥିରେ ଉଚ୍ଚ ନ୍ୟାୟାଳୟଙ୍କ ଅବକାଶ କାଳୀନ ପୀଠ ଏହି ସମ୍ପ୍ରସାରଣକୁ ଆଉ ବଢା ଯାଇ ପାରିବନି ବୋଲି କହିଛନ୍ତି। ଏଣୁ ଦେଶମୁଖଙ୍କୁ ହୁଏତ ବୁଧବାର ଜେଲରୁ ମୁକ୍ତି ମିଳିଯାଇପାରେ ବୋଲି ଆଶା କରାଯାଉଛି।
ଉଚ୍ଚନ୍ୟାୟାଳୟ ଦେଶମୁଖଙ୍କୁ ଜାମିନ ମଞ୍ଜୁର କରି କହିଥିଲେ ଯେ ସିବିଆଇ କେବଳ ବର୍ଖାସ୍ତ ପୋଲିସ ଅଫିସର ସଚ୍ଚିନ ବାଜେଙ୍କ ବୟାନ ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ଦାଖଲ କରି ନାହିଁ। ଏହା ପୂର୍ବରୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଦେଶମୁଖଙ୍କ ଜାମିନ ନିବେଦନ ଅଗ୍ରାହ୍ୟ କରିଦେଇଥିଲେ। ଏଣୁ ଦେଶମୁଖ ଜାମିନ ପାଇଁ ଉଚ୍ଚନ୍ୟାୟାଳୟକୁ ଯାଇଥିଲେ। ଅନିଲ ଦେଶମୁଖ ନଭେମ୍ବର ୨୦୨୧ରୁ ଜେଲରେ ବନ୍ଦୀ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଥିତ ପିଏମଏଲ ଅଧିନିୟମରେ ଗିରଫ କରିଥିଲା। ତେବେ ସିବିଆଇ ଚଳିତବର୍ଷ ଏପ୍ରିଲ ମାସରେ ଦେଶମୁଖଙ୍କୁ ଅନ୍ୟ ଏକ ଦୁର୍ନୀତି ମାମଲାରେ ଗିରଫ କରିଛି।

ହେଲେ ଦେଶମୁଖ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି। ସେ ଏବେ ମୁମ୍ବାଇ ଆର୍ଥରରୋଡ ଜେଲରେ ବିଚାରବିଭାଗୀୟ ହାଜତରେ ବନ୍ଦୀ ଅଛନ୍ତି। ତେବେ ହାଇକୋର୍ଟ ତାଙ୍କୁ ଇଡି ମାମଲାରେ ଗତ ଅକ୍ଟୋବର ମାସରେ ଜାମିନ ପ୍ରଦାନ କରିଥିଲେ। ଏହା ପୂର୍ବରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମାର୍ଚ୍ଚ ୨୦୨୧ରେ ଅଭିଯୋଗ କରିଥିଲେ ଯେ ପୂର୍ବତନ ଗୃହମନ୍ତ୍ରୀ ପୋଲିସ ଅଧିକାରୀଙ୍କ ଉପରେ ମୁମ୍ବାଇର ରେଷ୍ଟୁରାଣ୍ଟ ଓ ବାରରୁ ପ୍ରତି ମାସରେ ୧୦୦ କୋଟି ଟଙ୍କା ଅସୁଲ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।