ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶିଲ ମୋଦୀଙ୍କର ପରଲୋକ ହୋଇଛି। କ୍ୟାନ୍ସର ସହ ଲଢ଼ି ସୋମବାର ୭୨ ବର୍ଷ ବୟସରେ ଆଖିବୁଜିଛନ୍ତି ଏହି ଟାଣୁଆ ନେତା। ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ସେ ଚଳିତ ବର୍ଷ ଏପ୍ରିଲ୍ରେ ମାସରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ କହିଥିଲେ।
ପୂର୍ବତନ ରାଜ୍ୟସଭା ସାଂସଦଙ୍କ ପାର୍ଥିବ ଶରୀର ଆସନ୍ତାକାଲି (ମେ ୧୪) ପାଟଣାର ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ଅଣାଯିବ। ବନ୍ଧୁବର୍ଗ ଓ ତାଙ୍କ ପ୍ରଶଂସକମାନେ ଶେଷ ଦର୍ଶନ କରିସାରିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ବିହାର ବିଜେପିର ପିତାମହ କୁହାଯାଉଥିବା ସୁଶିଲ ମୋଦୀଙ୍କ ବିୟୋଗରେ ଦଳର ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି। ବର୍ତ୍ତମାନର ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ସୁଶୀଲଙ୍କ ବିୟୋଗରେ ସୋସିଆଲ୍ ମିଡିଆ ଏକ୍ସରେ ଶୋକ ପ୍ରକାଶ କରିଛନ୍ତି। ବିଜେପି ପାଇଁ ଏହା ଅପୂରଣୀୟ କ୍ଷତି। ଓମ୍ ଶାନ୍ତି ବୋଲି ଲେଖିଛନ୍ତି ସମ୍ରାଟ ଚୌଧୁରୀ।
ସଂକ୍ଷେପରେ ସୁଶିଲ ମୋଦୀଙ୍କ ରାଜନୈତିକ ଯାତ୍ରା
୧୯୫୨ ଜାନୁଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ସୁଶିଲ ମୋଦୀ ପାଟନା ୟୁନିଭର୍ସିଟିରୁ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିଲେ। ସେ ସେ ୧୯୭୩ ମସିହାରେ ସେ ଛାତ୍ର ସଂଘର ସାଧାରଣ ସମ୍ପାଦକ ହୋଇଥିଲେ। ୩ ଦଶନ୍ଧିର ତାଙ୍କର ରାଜନୈତିକ ଯାତ୍ରା ମଧ୍ୟରେ ସେ ବିଭିନ୍ନ ପଦପଦବୀରେ ରହିଛନ୍ତି।
ସୁଶିଲ ମୋଦୀ ବିଧାୟକ, ଏମ୍ଏଲ୍ସି, ଲୋକସଭା ଓ ରାଜ୍ୟସଭା ସାଂସଦ ହୋଇଥିଲେ। ସେହିପରି ୨୦୦୫ରୁ ୨୦୧୩ ଓ ୨୦୧୭ରୁ ୨୦୨୦ ମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ପାଟନା ସେଣ୍ଟ୍ରାଲ ନିର୍ବାଚନ ମଣ୍ଡଳିରୁ ସେ ପ୍ରଥମ ଥର ପାଇଁ ୧୯୯୦ରେ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ପାଟନା ବିଧାନସଭାର ବିରୋଧୀ ଦଳର ନେତା ହୋଇଥିଲେ।
୨୦୦୪ରେ ଜାତୀୟ ରାଜନୀତିରେ ପାଦ ରଖିଥିଲେ ସୁଶିଲ ମୋଦୀ। ସେହିବର୍ଷ ସେ ଭାଗଲପୁରରୁ ସାଂସଦ ନିର୍ବାଚିତ ହୋଇଥିଲେ। ୨୦୦୫ରେ ସେ ସାଂସଦ ପଦରୁ ଇସ୍ତଫା ଦେଇ ବିଧାୟକ ହୋଇଥିଲେ ଓ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ।