'ସବୁ କଥା ଏକଦମ୍ ମିଛ, ପାକିସ୍ତାନୀ ସାମ୍ବାଦିକଙ୍କୁ ନା ମୁଁ କେବେ ଡକାଇଛି ନା କେବେ ଭେଟିଛି'

Published By : Prameya-News7 Bureau | July 13, 2022 IST

ନୂଆଦିଲ୍ଲୀ: ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜାଙ୍କ ଚାଞ୍ଚଲ୍ୟକର ଦାବି ପରେ ଏବେ ଅଡୁଆରେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ। ତାଙ୍କ ବିରୋଧରେ ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛି ବିଜେପି। ହମିଦ ଅନସାରୀଙ୍କୁ ଟାର୍ଗେଟ୍ କରି ଅନେକ ପ୍ରଶ୍ନ କରିଛି ଶାସକ ଦଳ। ପାକିସ୍ତାନୀ ସାମ୍ବାଦିକଙ୍କୁ ପାଞ୍ଚ ଥର ଭାରତ ଡକାଇବା ନେଇ ବିଜେପି ପ୍ରଶ୍ନ କରିଛି। ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅନସାରୀ। ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସେ ନା କେବେ ନୁସରତଙ୍କୁ ଭାରତ ନିମନ୍ତ୍ରଣ କରିଛନ୍ତି ନା ତାଙ୍କୁ ଭେଟିଛନ୍ତି।

ସେ କହିଛନ୍ତି, ଗଣମାଧ୍ୟମର ଏକ ବଡ ବର୍ଗ ଏବଂ ଭାରତୀୟ ଜନତା  ପାର୍ଟିର ମୁଖପାତ୍ର ମୋ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି ଯେ, ଉପ ରାଷ୍ଟ୍ରପତି ଥିବା ସମୟରେ ମୁଁ ପାକିସ୍ତାନୀ ସାମ୍ବାଦିକଙ୍କୁ ଭାରତ ଡକାଇଥିଲି। ମୋ ବିଷୟରେ କୁହାଯାଉଛି ଯେ, ନୂଆଦିଲ୍ଲୀରେ ଆତଙ୍କବାଦ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଁ ତାଙ୍କୁ ଭେଟିଥିଲି। ଏହା ମଧ୍ୟ ଅଭିଯୋଗ କରାଯାଉଛି ଯେ, ଇରାନର ରାଷ୍ଟ୍ରଦୂତ ଥିବା ସମୟରେ ମୁଁ ଦେଶ ସହିତ ଗଦ୍ଦାରୀ କରିଛି। ସମସ୍ତେ ଜାଣନ୍ତି ଯେ, ସରକାରଙ୍କ ପରାମର୍ଶକ୍ରମେ ହିଁ ବିଦେଶ ଏକ୍ସପର୍ଟଙ୍କୁ ଡକାଯାଏ।

ଅନସାରୀ କହିଛନ୍ତି, ମୁଁ ୨୦୧୧ ଡିସେମ୍ବର ୧୧ରେ ଆତତଙ୍କବାଦ ଉପରେ କନଫରେନ୍ସର ଉଦଘାଟନ କରିଥିଲି। ଯେଉଁ ଲୋକଙ୍କୁ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରାଯାଇଥିଲା, ତାର ତାଲିକା ଆୟୋଜକଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା। ମୁଁ ନା କେବେ ନୁସରତଙ୍କୁ ଡକାଇଛି ନା କେବେ ଭେଟିଛି।

ସେ ଏହା ମଧ୍ୟ କହିଛନ୍ତି, ଇରାନରେ ରାଜଦୂତ ଭାବେ ମୋର କାମ ସରକାରଙ୍କ ଜ୍ଞାତ ସାରରେ ହେଉଥିଲା। ମୁଁ ଦେଶର ସୁରକ୍ଷାକୁ ନେଇ ପ୍ରତିବଦ୍ଧ ଏବଂ ଏହି ଧରଣର ମାମଲାରେ ଟିପ୍ପଣୀ କରିବାରେ ନିବୃତ୍ତ ରହିଥାଏ। ଭାରତ ସରକାରଙ୍କ  ନିକଟରେ ଏହି ମାମଲାରେ ସମସ୍ତ ସୂଚନା ରହିଛି। ସରକାର ହିଁ ସତ କହି ପାରିବେ। ତେହରାନରେ ରାଜଦୂତ ରହିବା ପରେ ମୁଁ ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧି ହୋଇଥିଲି ଏବଂ ମୋ କାମ ବିଷୟରେ ସମସ୍ତେ ଜାଣିଥିବା ସେ କହିଛନ୍ତି।

କଣ କହିଥିଲେ ପାକିସ୍ତାନୀ ସାମ୍ବାଦିକ

ପାକିସ୍ତାନୀ ସାମ୍ବାଦିକ ତଥା ସମ୍ଭକାର ନୁସରତ ମିର୍ଜା ଦାବି କରିଥିଲେ ଯେ, ସେ ୨୦୦୫ରୁ ୨୦୧୧ ମଧ୍ୟରେ ପାଞ୍ଚ ଥର ଭାରତ ଯାଇଥିଲେ। ଏହି ସମୟରେ ଉପ ରାଷ୍ଟ୍ରପତି ହମିଦ ଅନସାରୀ ତାଙ୍କୁ ଏକ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲେ। ଭାରତ ଗସ୍ତ ସମୟରେ ତାଙ୍କୁ ବିଶେଷ କୋହଳ ମିଳିଥିଲା। ସେ ଭାରତର ସାତ ସହର ଯାଇ ପାରୁଥିଲେ। ସେ ଭାରତରୁ ସୂଚନା ଏକତ୍ର କରି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.