ଏଭରେଷ୍ଟ ଆରୋହଣ କରିବାକୁ ଯାଇ ୩୦୮ରୁ ଅଧିକ ପ୍ରାଣ ହରାଇସାରିଲେଣି : ୯୮ ବର୍ଷ ଧରି ଅକ୍ଷତ ଅବସ୍ଥାରେ ପଡିରହିଛି ୩୦୦ରୁ ଅଧିକ ମୃତଦେହ

Published By : Prameya-News7 Bureau | May 30, 2019 IST

କାଠମାଣ୍ଡୁ ୩୦|୫: ଏଭେରେଷ୍ଟ ଶୃଙ୍ଗ ଚଢିବାକୁ ଯାଇ ଓଡିଶାର ମହିଳା ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତ୍ୟୁପରେ ଏଭେରେଷ୍ଟ ଓ ହିମାଳୟ ସମ୍ପର୍କରେ ଜାଣିବା ଲାଗି ଓଡିଶା ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । କିନ୍ତୁ ବିଶ୍ବାସ ନହେଲେ ବି ସତ । ଏଭରେଷ୍ଟ ଆରୋହଣକୁ ନେଇ ଏକ ଅବିଶ୍ବସନୀୟ ସତ କଥା ହେଉଛି ବିଶ୍ବର ଏହି ସର୍ବୋଚ୍ଚ ଶୃଙ୍ଗକୁ ବାଟ ଦେଖାଉଛି ରାସ୍ତାରେ ପଡ଼ିଥିବା ମୃତଦେହ । ଗୋଟିଏ କି ଦୁଇଟି ନୁହେଁ, ରାସ୍ତାରେ ପଡ଼ିଛି ୩୦୦ରୁ ଅଧିକ ମୃତଦେହ ।  ୮ ହଜାର ମିଟର ଉଚ୍ଚରେ ପଡ଼ିଥିବା ଏହି ମୃତଦେହ ସବୁକୁ ଫେରାଇ ଆଣିବା ଆଦୌ ସହଜ ନୁହେଁ । ଏଠାରେ ତାପମାତ୍ରା ମାଇନସ ୧୬ରୁ ମାଇନସ ୪୦ ଡିଗ୍ରୀ ରହୁଥିବାରୁ ମୃତଦେହ ସବୁ ବର୍ଷ ବର୍ଷ ଧରି ପଡ଼ିରହିଲେ ମଧ୍ୟ ନଷ୍ଟ ହେଉନାହିଁ ।  ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଏଇ ରିପୋର୍ଟ ।

{"id":117688}

ଏଭରେଷ୍ଟ, ଦୁନିଆଁର ସର୍ବୋଚ୍ଚ ଶୃଙ୍ଗ । ସମୁଦ୍ର ପତ୍ତନଠାରୁ  ୮ ହଜାର ୮୪୮ ମିଟର ଉଚ୍ଚ । ବିଶ୍ବର ସବୁଠୁ ଉଚ୍ଚ ଶିଖର ଏଭରେଷ୍ଟ ପାଲଟିଛି ମୃତ୍ୟୁର ଦ୍ବାର । ଗତ ଦୁଇ ସପ୍ତାହ ମଧ୍ୟରେ ଏଠାରେ ପ୍ରାଣ ହରାଇଲେଣି ୧୧ ପର୍ବତାରୋହୀ । ଯଦିଓ ଏଭରେଷ୍ଟ ଆରୋହଣ ଏକ ଦୁଃସାହସିକ ପଦକ୍ଷେପ ତଥାପି ହିମାଳୟ ଲଂଘିବାକୁ ଜାରି ରହିଛି ପ୍ରୟାସ । ପ୍ରଥମ ପ୍ରୟାସ ଆରମ୍ଭ ହୋଇଥିଲା ୧୯୨୧ ମସିହାରେ କିନ୍ତୁ ଏହା ସଫଳ ହୋଇନଥିଲା । ଏଭରେଷ୍ଟ ଆରୋହଣର ପ୍ରଥମ ସଫଳତା ମିଳିଥିଲା ୧୯୫୩ ମସିହାରେ । ଏଡ୍‌ମଣ୍ଡ ହିଲାରୀ ଏବଂ ତେନଜିଙ୍ଗ୍ ନର୍ଗେ ପ୍ରଥମେ ସଫଳତାର ସହ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଥିଲେ । ଏହାପରଠାରୁ ଏହି ଦୁଃସାହସିକ କାର୍ଯ୍ୟ କରିବାକୁ ବିଶ୍ବର ବିଭିନ୍ନ ଦେଶରୁ ପର୍ବତାରୋହୀ ପ୍ରୟାସ ଜାରି ରଖିଛନ୍ତି । ତେବେ ପ୍ରଥମ ପ୍ରୟାସଠାରୁ ଆଜି ପର୍ଯ୍ୟନ୍ତ ଏଭରେଷ୍ଟ ଆରୋହଣ କରିବାକୁ ଯାଇ ୩୦୮ରୁ ଅଧିକ ପ୍ରାଣ ହରାଇସାରିଲେଣି ।

{"id":117690}

ଏଭରେଷ୍ଟର ୮ ହଜାର ମିଟର ଅତିକ୍ରମ କରିବା ପରେ ହିଁ ଆରମ୍ଭ ହୁଏ ଅସଲ ଯାତ୍ରା । ଏହିଠାରୁ ଉପରକୁ ପାଦା ପାଦେ ବିପଦ । ଏହାକୁ କୁହାଯାଏ ଡେଥ୍ ଜୋନ । କାହିଁକି ନା ଟିକିଏ ଅସାବଧାନ ହୋଇଗଲେ କୋଳେଇ ନେବ ମୃତ୍ୟୁ । ବରଫ ପାହାଡ଼ ଭିତରେ ଜୀବନ କୁଆଡ଼େ ଚାଲିଯିବ ତାର ପତ୍ତା ମିଳିବନି । ଆଉ ଯଦି ମୃତଦେହ ମିଳିଲା ତାକୁ ବି ଜନ୍ମମାଟିକୁ ଫେରାଇନେବା ଏତେ ସହଜ ନୁହେଁ ।

{"id":117691}

ଆକଳନ ଅନୁସାରେ ଏହି ଡେଥ୍ ଜୋନରେ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି ୩୦୦ରୁ ଅଧିକ ମୃତଦେହ । ରାସ୍ତାରେ ପଡ଼ିରହିଥିବା ଏହି ମୃତଦେହ ଏବେ ପର୍ବତାରୋହୀଙ୍କୁ ଏଭରେଷ୍ଟ ଆରୋହଣ ପାଇଁ ଦେଖାଉଛି ବାଟ । ଏହି ମୃତଦେହସବୁକୁ ଦେଖିଦେଖି ପର୍ବତାରୋହୀ ଏଭରେଷ୍ଟ ଅଭିମୁଖେ ଯାତ୍ରା କରିଥାନ୍ତି ।

{"id":117693}

ଏଭରାଷ୍ଟ ରାସ୍ତାରେ ୯୮ ବର୍ଷ ଧରି ମୃତଦେହ ପଡ଼ିରହିଛି, ହେଲେ ଏହା ଆଜି ପର୍ଯ୍ୟନ୍ତ ନଷ୍ଟ ହୋଇନି। ମୃତଦେହ ନଷ୍ଟ ନହେବାର କାରଣ ହେଉଛି ଏଠାକାର ତାପମାତ୍ରା । ଏଭରେଷ୍ଟରେ ସର୍ବନିମ୍ନ ତାପମାତ୍ରା ମାଇନସ୍୪୦ରୁ ମାଇନସ୍ ୧୬ ଡିଗ୍ରୀ ସେଲସିଅୟ ମଧ୍ୟରେ ରହିଥାଏ ।

{"id":117694}

ଏଭରେଷ୍ଟ ଆରୋହଣ ବେଳେ ମୃତ୍ୟୁର ବଡ଼ କାରଣ ହେଉଛି ହିମସ୍ଖଳନ । କେତେବେଳେ ଯେ, ବରଫ ପାହାଡ଼ ସବୁ ଧସି ଆସେ ତାର କୌଣସି ଠିକଣା ନଥାଏ । ଆକଳନ ଅନୁସାରେ ହିମସ୍ଖଳନ ଯୋଗୁଁ ୬୮ ଜଣ ପ୍ରାଣ ହରାଇଥିବା ବେଳେ ଗୋଡ଼ ଖସିବାରୁ ୬୭ ଜଣଙ୍କ ଜୀବନ ଯାଇଛି । ସେହିପରି ସ୍ବାସ୍ଥ୍ୟ ବିଗିଡ଼ିବାରୁ ୨୧, ହୃଦଘାତରେ ୧୧ ଏବଂ ହାଲିଆ ହୋଇ ୧୫ ଜଣ ପ୍ରାଣ ହରାଇଛନ୍ତି ।

{"id":117695}

୧୯୭୦ ମସିହାରେ ୬ ଜଣ ପର୍ବତାରୋହୀ ପ୍ରାଣ ହରାଇଥିବା ବେଳେ ୧୯୭୪ରେ ଯାଇଥିଲା ୬ ଜଣଙ୍କ ଜୀବନ । ସେହିପରି ୧୯୯୬ରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୪ରେ ୧୬ ଏବଂ ୨୦୧୫ରେ ୨୨ ଜଣଙ୍କ ଦେହାନ୍ତ ହୋଇଥିଲା ।… ଏଭରେଷ୍ଟରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ୧୧୯ ଜଣ ଅଛନ୍ତି ନେପାଳର । ଭାରତ ଓ ଜାପାନରୁ ୧୯ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ୟୁକେର ୧୭, ଆମେରିକାରୁ ୧୫, ଚୀନର ୧୨ ଏବଂ ଦକ୍ଷିଣ କୋରିଆର ୧୧ ପର୍ବତାରୋହୀଙ୍କ ଜୀବନ ଯାଇଛି । ଅଷ୍ଟ୍ରେଲିଆ, ଜର୍ମାନ, ପୋଲାଣ୍ଡ, ରୁଷ୍, କାନାଡ଼ା, ଫ୍ରାନ୍ସ, ସ୍ପେନ, ଇଟାଲି, ଅଷ୍ଟ୍ରେଲିଆ ଆଦି ଦେଶରୁ ମଧ୍ୟ ଅନେକଙ୍କ ଏଭରେଷ୍ଟ ଆରୋହଣର କଳ୍ପନା କଳ୍ପନାରେ ରହିଯାଇଛି ।

{"id":117697}

ଚଳିତ ବର୍ଷ ୧୮ ଜଣ ଏଭରେଷ୍ଟ ଆରୋହଣକାରୀ ପ୍ରାଣହରାଇଲେଣି । ତେବେ ଏଥର ମୃତ୍ୟୁର ବଡ଼ କାରଣ ଟ୍ରାଫିକ ଜାମ୍ ବୋଲି କୁହାଯାଉଛି । ପାଗ ଖରାପ ରହିବାରୁ ଏଥର ଏଭରେଷ୍ଟ ଆରୋହଣ ପାଇଁ କମ୍ ସମୟ ମିଳିଥିଲା । ଆଉ ଏହି ଅଳ୍ପ ସମୟରେ ରେକର୍ଡ ସଂଖ୍ୟାରେ ୩୮୧ ଆରୋହଣକାରୀଙ୍କୁ ପଠାଇବାକୁ ଅନୁମତି ଦେଇଥିଲା ନେପାଳ । ଜଣେ ଆରୋହଣକାରୀଙ୍କୁ ପରମିଟ୍ ପାଇଁ ନେପାଳ ୭ ଲକ୍ଷ ୬୦ ହଜାର ଟଙ୍କା ନେଇଥାଏ ।  ଖାସ୍ ଟଙ୍କା ଲୋଭ ପାଇଁ ଏଥର ଏଭରେଷ୍ଟରେ ଏଭଳି ଟ୍ରାଫିକ୍ ଜାମ୍‌ର ଦୃଶ୍ୟ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.