ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ତଳିଆ ଅଞ୍ଚଳ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
20/08/2022 at 9:31 AM

ଭଦ୍ରକ ୨୦।୮: ଲଘୁଚାପଜନିତ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ଉପୁଜିବାକୁ ଥିବା ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି । ତେବେ ଜିଲ୍ଲାରେ ମୋଟ୍ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ୍, ୨ଟି ଏନଡିଆରଏଫ ଟିମ୍ ସହ ୪ ଜଣ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି ।

ଭଦ୍ରକ ବିଜୁ କଲ୍ୟାଣ ମଣ୍ଡପରେ ଗୋଟିଏ ଓଡ୍ରାଫ୍ ଟିମ୍ ଓ ଜିଲ୍ଲା ସ୍କୁଲରେ ଅନ୍ୟ ଓଡ୍ରାଫ ଟିମ୍କୁ ପ୍ରସ୍ତୁତ କରାଯାଇଛି । ତିହିଡି ବ୍ଲକର ବିଲଣା ପଞ୍ଚାୟତଠାରେ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ଭଦ୍ରକ ବ୍ଲକର ରାଜୁଆଳିବିନ୍ଧା ଓ ଅର୍ଣ୍ଣପାଳ ପଞ୍ଚାୟତରୁ ୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳରେ ଥଇଥାନ କରାଯାଇଥିବା ସୂଚନା ମିଳିଛି ।

ତେବେ ଭଦ୍ରକ ଜିଲ୍ଲାରେ ୧୬୧.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭଦ୍ରକ ବ୍ଲକରେ ୧୬ ମିଲିମିଟର, ବାସୁଦେବପୁର ବ୍ଲକରେ ୩୩ ମିଲିମିଟର, ଭଣ୍ଡାରିପୋଖରୀ ବ୍ଲକରେ ୧୦ ମିଲିମିଟର, ବନ୍ତ ବ୍ଲକରେ ୨୦.୫ ମିଲିମିଟର, ଧାମନଗର ବ୍ଲକରେ ୩୪ ମିଲିମିଟର, ଚାନ୍ଦବାଲି ବ୍ଲକରେ ୨୩.୪ ମିଲିମିଟର ଓ ତିହିଡି ବ୍ଲକରେ ୨୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।