ନୂଆଦିଲ୍ଲୀ ୧୪।୫: କିଛି ଘଣ୍ଟା ଖିଆପିଆ ନକଲେ ଅମେ ଶରୀର ଦୁର୍ବଳ ଲାଗେ। ତେବେ ଜଣେ ମହିଳା ୧୬ ବର୍ଷ ହେଲା କିଛି ନଖାଇ ନ ପିଇ ବଞ୍ଚିଥିବାର ଦାବି କରୁଛନ୍ତି। ମହିଳା କହିଛନ୍ତି ଯେବେ ସେ ୧୦ ବର୍ଷର ହୋଇଥିଲେ ସେବେ ଶେଷଥର ପାଇଁ ଖାଦ୍ୟ ଖାଇଥିଲେ। ତା ପରଠାରୁ ଆଉ କେବେ ଖିଆପିଆ କରି ନାହାନ୍ତି। ଇଥୋପିଆର ମଲୁୱର୍କ ଅମ୍ବାବ ନାମ୍ନି ଏହି ମହିଳାଙ୍କୁ ଭୋକ ହୁଏ ନାହିଁ କି ସେ କିଛି ବି ଖାଆନ୍ତିନି।
୨୬ ବର୍ଷ ବୟଷ୍କା ଏହି ମହିଳା ଏବେ ଏକ ପିଲାର ମା ମଧ୍ୟ ହୋଇଛନ୍ତି। ମଲୁୱର୍କ ଅମ୍ବବ କହିଛନ୍ତି ଯେ ସେ ତାଙ୍କ ପରିବାର ନିମନ୍ତେ ରୋଷେଇ କରନ୍ତି, ହେଲେ ତାଙ୍କୁ ଭୋକ ଲାଗେ ନାହିଁ। ସେ କହନ୍ତି ଯେ ଭାରତ, କତର ଓ ଦୁବାଇର ଅନେକ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି, ହେଲେ ତାଙ୍କଠାରେ କୌଣସି ବିଲକ୍ଷଣ ଦେଖି ନାହାନ୍ତି କି ସେ କାହିଁକି ଖାଦ୍ୟ ଖାଉ ନାହାନ୍ତି ତାହା ମଧ୍ୟ କହି ପାରି ନାହାନ୍ତି। ମହିଳା କହିଛନ୍ତି ଯେ ସେ ଯେବେ ୧୦ ବର୍ଷର ହୋଇଥିଲେ ଓ ସ୍କୁଲ ଯାଉଥିଲେ ପରିବାର ଲୋକେ ତାଙ୍କୁ ସ୍କୁଲ ଯିବା ପାଇଁ ଖାଇବାକୁ କହୁଥିଲେ। ହେଲେ ସେ ଖାଇଥିବାର ମିଛ କଥା କହୁଥିଲେ।
ଧିରେ ଧିରେ ତାଙ୍କର ଏହି ଅଭ୍ୟାସ ବଢି ଯାଇଥିଲା ଓ ସେ ପାଣି ପିଇବା ମଧ୍ୟ ଛାଡି ଦେଇଥିଲେ। ସେ କହିଛନ୍ତି ଯେ କେବଳ ଗାଧୋଇବାକୁ ସେ ବାଥ ରୁମକୁ ଯାଆନ୍ତି। ହେଲେ ସେ କେବେ ବି ଟୟଲେଟ ବ୍ୟବହାର କରି ନାହାନ୍ତି। ୧୬ ବର୍ଷ ହେଲା ସେ ଟୟଲେଟ ବ୍ୟବହାର କରୁ ନଥିବା କହିଛନ୍ତି। ସେ ସେତେବେଳେ ବାଥ ରୁମ ଯାଆନ୍ତି ତାଙ୍କୁ ଯେତେବେଳେ ଗାଧୋଇବାକୁ ଇଛା ହୁଏ। ତାଙ୍କର ସନ୍ତାନ ପ୍ରସବ ହେବାରୁ ସେ ପିଲାକୁ ମା ଖୀର ଦେଇ ପାରି ନଥିଲେ। କାରଣ ତାଙ୍କ ଦେହରେ ଦୁଗ୍ଧ ହେଉ ନଥିଲା। ଏଣୁ ଶିଶୁକୁ କୃତ୍ରିମ ଦୁଗ୍ଧ ଦେବାକୁ ପଡିଥିଲା।