ସୋମବାର ଦିଲ୍ଲୀରେ ଖୋଲିବ ସରକାରୀ ଅଫିସ୍, ଶତପ୍ରତିଶତ ରହିବ ଆଟେଣ୍ଡାନ୍ସ: ଅରବିନ୍ଦ କେଜରୀୱାଲ
3/05/2020 at 6:53 PM

ନୂଆଦିଲ୍ଲୀ ୩।୫: କରୋନା ମହାମାରୀ ସଂକଟରେ କେନ୍ଦ୍ର ସରକାର ତୃତୀୟବାର ଲକଡାଉନ ଅବଧି ସମ୍ପ୍ରସାରଣ କରିଛନ୍ତି। ୨ସପ୍ତାହର ଏହି ଲକଡାଉନ ଲାଗି କେନ୍ଦ୍ର ସରକାର ଯେଉଁ ସବୁ ରିହାତି ଘୋଷଣା କରିଛନ୍ତି ତାହା ଦିଲ୍ଲୀରେ ମଧ୍ୟ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରବିବାର ଘୋଷଣା କରିଛନ୍ତି। ତେବେ କରୋନା ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀ ଦେଶର ରେଡ ଜୋନରେ ଅଛି। ଏହା ସତ୍ତ୍ୱେ ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ରାଜଧାନୀରେ ସରକାରୀ କାର୍ଯ୍ୟାଳୟ ସ୍ୱଭାବିକ ଖୋଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ତେବେ କେଜରୀୱାଲ ପ୍ରାରମ୍ଭିକ ପର୍ଯ୍ୟାୟରେ ସେହି ସବୁ ସରକାରୀ କାର୍ଯ୍ୟାଳୟ ଖୋଲା ହେବ ଯେଉଁଗୁଡିକ ଲୋକଙ୍କ ଅତ୍ୟାବଶକୀୟ ସେବା ସହ ସମ୍ପୃକ୍ତ ବୋଲି କହିଛନ୍ତି। ଯେଉଁ ସବୁ କାର୍ଯ୍ୟାଳୟ ଖୋଲିବ ସେଠାରେ କର୍ମଚାରୀଙ୍କ ଶତପ୍ରତିଶତ ଆଟେଣ୍ଡାସ ବି ଦେଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ସରକାରୀ ନୁହେଁ ଘରୋ ସଂସ୍ଥାଙ୍କ ଦପ୍ତର ମଧ୍ୟ ସୋମବାରଠୁ ରାଜଧାନୀରେ ଖୋଲିବ । ତେବେ ଏଭଳି ସଂସ୍ଥାମାନେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟା ଚଳାଇବେ ବୋଲି କେଜରୀୱାଲ କହିଛନ୍ତି।
ତେବେ ରାଜଧାନୀରେ ଏବେବି ମଲ, ସିନେମାହଲ, ସେଲୁନ, ମାର୍କେଟ୍ କମ୍ପ୍ଲେକ୍ସ ଓ ଦିଲ୍ଲୀ ମେଟ୍ରୋ ଆଦି ସେବା ବନ୍ଦ ରହିବ। ସେହିପରି ଅତ୍ୟାବସକୀୟ ସାମଗ୍ରୀ ଦୋକାନ ସବୁ ଯେମିତି ଖୋଲୁଥିଲା ସେପରି ଖୋଲା ରହିବ । ଇ-କମର୍ସ ୱେବ୍ ସାଇଟ୍ ମାନେ ମଧ୍ୟ ରାଜଧାନୀରେ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ପୂର୍ବବତ୍ କାର୍ଯ୍ୟକରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।