ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କେଏସ୍ ଈଶ୍ୱରପ୍ପା ଏଥର ରାଜ୍ୟ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେ ଏଥର ଶିବମୋଗା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ଏନେଇ ଶୁକ୍ରବାର ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି। କର୍ଣ୍ଣାଟକରେ ବାପୁ-ପୁଅ(ୟେଦିୟୁରାପ୍ପା ଓ ତାଙ୍କ ପୁଅ) ରାଜନୀତି ଚାଲିଛି ବୋଲି ଈଶ୍ୱରପ୍ପା କହିଛନ୍ତି।
ଶିବମୋଗାରୁ ସେ ବିଜେପି ସାଂସଦ ପ୍ରାର୍ଥୀ ବିୱାଇ ରାଘବେନ୍ଦ୍ରଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ରାଘବେନ୍ଦ୍ର ହେଉଛନ୍ତି ବିଏସ୍ ୟେଦିୟୁରାପ୍ପାଙ୍କ ପୁଅ। ନିର୍ବାଚନ ଲଢ଼ିବା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଈଶ୍ୱରପ୍ପା କହିଛନ୍ତି “ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଦଳ ପରିବାର ହାତରେ ରହିବା କଥା ନୁହେଁ। କିନ୍ତୁ କର୍ଣ୍ଣାଟକର ବିଏସ୍ ୟେଦ୍ୟୁରାପ୍ପାଙ୍କ ପୁଅ ବିଜେପି ଅଧ୍ୟକ୍ଷ ଏଭଂ ଅନ୍ୟପଟେ ସେ ଜଣେ ସାଂସଦ। ଏହା ବିରୋଧ କରି ମୁଁ ନିର୍ବାଚନ ଲଢୁଛି।”
ଈଶ୍ୱରପ୍ପାଙ୍କ ପୁଅ କାନ୍ତେଶଙ୍କୁ ହାବେରି ଆସନରୁ ଟିକେଟ୍ ଦେବାକୁ ମନା କରିଦେବାରୁ ଈଶ୍ୱରପ୍ପା ଏପରି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ କାନ୍ତେଶଙ୍କୁ ଟିକେଟ୍ ଦିଆଯିବ ବୋଲି ୟେଦିୟୁରାପ୍ପା ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ୟେଦି ମୋ ପୁଅ ପାଇଁ ପ୍ରଚାର କରିବେ ବୋଲି ମଧ୍ୟ କହିଥିଲେ। ହେଲେ ତାହା ହେଲା ନାହିଁ ବୋଲି ଈଶ୍ୱରପ୍ପା ଅଭିଯୋଗ କରିଛନ୍ତି।