ଜାପାନରେ ବଢ଼ିଲା ମହମାରୀ ଆଶଙ୍କା! କୋରୋନା ପରେ ଫ୍ଲୁ କରୁଛି ବେହାଲ, ୧ ସପ୍ତାହରେ ୫୧ ହଜାରରୁ ଅଧିକ ଆକ୍ରାନ୍ତ
5/02/2023 at 4:16 PM

ନୂଆଦିଲ୍ଲୀ, ୦୫/୦୨: କୋରୋନା ଭାଇରସ ପ୍ରଭାବରୁ ଏବେବି ମୁକୁଳିନି ଦୁନିଆ। କୋଭିଡ-୧୯ ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଅର୍ଥବ୍ୟବସ୍ଥା। ଅବଶ୍ୟ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। କିନ୍ତୁ ଏବେ ଜାପାନରେ ପାଇଁ ଏକ ବଡ଼ ସମସ୍ୟା ଉପୁଜିଛି। ଜାପାନରେ ଏବେ ଫ୍ଲୁର ପ୍ରଭାବ ଦେଖାଦେଇଛି। ଦେଶରେ ଫ୍ଲୁ ଏଭଳି ବଢ଼ିଛି ଯେ ଏହାକୁ ମହାମାରୀ ଚେତାବନୀ ସ୍ତରରେ ପହଞ୍ଚିଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଜାନୁଆରୀ ଶେଷ ସପ୍ତାହରେ ଜାପାନର ଫ୍ଲୁ ରୋଗୀଙ୍କ ସଂଖ୍ୟା ଦେଶରେ ମହାମାରୀର ଚେତାବନୀ ସ୍ତରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଦେଶରେ ସବୁ ଚିକିତ୍ସାଳୟରେ ରୋଗୀଙ୍କ ହାରାହାରି ସଂଖ୍ୟା ୧୦.୩୬ ରହିଛି, ଯାହା ଚେତାବନୀ ସ୍ତର ୧୦ ବେଞ୍ଚମାର୍କ ପାର କରିଛି।
ଗୋଟିଏ ସପ୍ତାହରେ ୫୧ ହଜାରରୁ ଅଧିକ କେସ୍:
ତଥ୍ୟରୁ ଜଣାପଡ଼ିଛି ଯେ ଜାପାନର ସବୁ ୪୭ ରାଜ୍ୟର ପ୍ରାୟ ୫ ହଜାର ହସ୍ପିଟାଲରେ ନିୟମିତ ଭାବରେ ସାତଦିନ ଅବଧିରେ ସମୁଦାୟ ୫୧ ହଜାରରୁ ଅଧିକ ଇନଫ୍ଲୁଏଞ୍ଜା ମାମଲା ରେକର୍ଡ ହୋଇଛି। ଜିଲ୍ଳା ହସ୍ପିଟାଲ ମଧ୍ୟରେ ଓକିନାଓ୍ବାରେ ସବୁଠୁ ଅଧିକ ୪୧.୨୩ ପ୍ରତିଶତ, ଫୁକୁଈରେ ୨୫.୩୮ ପ୍ରତିଶତ, ଓସାକାରେ ୨୪.୩୪ ଏବଂ ଫୁକୁଓକାରେ ୨୧.୭୦ ପ୍ରତିଶତ ରୋଗୀଙ୍କ ସଂଖ୍ୟା ରହିଛି।
ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଫ୍ଳୁର ସଂକ୍ରମଣ ସମାନ୍ୟ ବର୍ଷ ତୁଳନାରେ ଆହୁରି ଅଧିକ ବ୍ୟାପିପାରେ। ୨୦୨୧ ଏବଂ ୨୦୨୨ ରେ କୋଭିଡ-୧୯ କଡ଼ା ଉପାୟ ଯୋଗୁଁ ଫ୍ଲୁ ସଂକ୍ରମଣ କମ୍ ସ୍ତରରେ ରଖିବା ଉପରେ ବେଶ୍ ସହାୟକ ହୋଇଥିଲା।