ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡର ସବୁଠୁ ସଫଳ ଅଧିନାୟକ

Published By : Prameya-News7 Bureau | June 28, 2022 IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ଇଅନ ମୋର୍ଗାନ। ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ। ମୋର୍ଗାନ ଇଂଲଣ୍ଡ ପାଇଁ ୨୨୫ ଦିନିକିଆରେ ୧୩ ଶତକ ସହ ୬୯୫୭ ରନ କରିଛନ୍ତି। ମୋଟ୍ ଉପରେ ମୋର୍ଗାନ ୨୪୮ ଦିନିକିଆ ସହ ୭୭୦୧ ରନ କରିଛନ୍ତି। ଏଥିରେ ୧୪ ଶତକ ସାମିଲ୍।

ସେ ୧୨୬ଟି ଦିନିକିଆରେ ଇଂଲଣ୍ଡର ନେତୃତ୍ଵ ନେଇଛନ୍ତି। ଏଥିରୁ ଇଂଲଣ୍ଡ ୭୬ଟି ମ୍ୟାଚ୍ ଜିତିଥିବା ବେଳେ ବିଜୟ ପ୍ରତିଶତ ୬୫.୨୫ ରହିଛି। ତାଙ୍କ ଅଧିନାୟକତ୍ଵରେ ଇଂଲଣ୍ଡ ୨୦୧୯ରେ ନିଜର କ୍ରିକେଟ୍ ଇତିହାସରେ ପ୍ରଥମ ବିଶ୍ଵ କପ୍ ଜିତିବାରେ ସଫଳ ହୋଇଥିଲା।

wp:html /wp:html

୨୦୧୫ରେ ଆଲିଷ୍ଟର କୁକ୍‌ଙ୍କ ପରେ ସୀମିତ ଓଭର କ୍ରିକେଟରେ ଇଂଲଣ୍ଡର ନେତୃତ୍ଵ ନେଇଥିଲେ। ମୋର୍ଗାନ ୧୨୬ ଦିନିକିଆ ଏବଂ ୭୨ଟି ଟି-୨୦ ଅନ୍ତର୍ଜାତୀୟରେ ଅଧିନାୟକତ୍ଵ କରିଛନ୍ତି। ତାଙ୍କ ନେତୃତ୍ଵରେ ଇଂଲଣ୍ଡ ୨୦୧୬ ଟି-୨୦ ବିଶ୍ଵ କପରେ ଉପ ବିଜେତା ରହିଥିଲା। ପରେ ୨୦୧୯ ଦିନିକିଆ ବିଶ୍ଵ କପରେ ଦଳ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା। ୨୦୦୯ରେ ଇଂଲଣ୍ଡ ପାଇଁ ଖେଳିବା ପୂର୍ବରୁ ମୋର୍ଗାନ ଆୟରଲାଣ୍ଡର ପ୍ରତିନିଧିତ୍ଵ କରିଥିଲେ। ମୋର୍ଗାନ ୨୦୧୦ ରୁ ୨୦୧୨ ମଧ୍ୟରେ ୧୬ଟି ଟେଷ୍ଟ ଖେଳିଛନ୍ତି।

ମୋର୍ଗାନ ଜଣେ ସଫଳ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ଥିଲେ। ସେ ୧୧୫ଟି ମ୍ୟାଚ୍‌ରେ ୧୪ ଅର୍ଦ୍ଧଶତକ ଏବଂ ୧୩୬.୧୮  ଷ୍ଟ୍ରାଇକ ରେଟରେ ୨୪୫୮ ରନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ସଫଳ ଟି-୨୦ ଅଧିନାୟକ। ତାଙ୍କ ନେତୃତ୍ଵରେ ଦଳ ୭୨ଟି ମୁକାବିଲାରୁ ୪୨ଟି ଜିତିଛି। ମୋର୍ଗାନ ଗତ କିଛି ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଥିଲେ। ନିଜର ଗତ ୨୮ ଅନ୍ତର୍ଜାତୀୟ ମ୍ୟାଚରେ ମାତ୍ର ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ସ୍ଥାନରେ ଜୋସ୍ ବଟଲରଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.