ଉପକୂଳ ପ୍ରତି ମାଡି ଆସିଲାଣି ବିପଦ : ଜଳବାୟୁରେ ଘୋର ପରିବର୍ତ୍ତନ ପାଇଁ ବଢୁଛି ସମୁଦ୍ର ଜଳପତ୍ତନ

Published By : Prameya-News7 Bureau | November 20, 2019 IST

ନୂଆଦିଲ୍ଲୀ ୨୦।୧୧: ଜଳବାୟୁରେ ଘୋର ପରିବର୍ତ୍ତନ ଯୋଗୁଁ ବଢୁଛି ସମୁଦ୍ରର ଜଳପତ୍ତନ । ଗତ ୫୦ ବର୍ଷ ମଧ୍ୟରେ ଭାରତୀୟ ଉପକୂଳ ପ୍ରତି ବିପଦ ମାଡି ଆସିଲାଣି । ସମୁଦ୍ର ଜଳସ୍ତର ୮.୫ ସେଣ୍ଟିମିଟର ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ୪ ଫୁଟ ଫୁଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋ ଏଭଳି ଏହି ସୂଚନା ଦେବା ପରେ ଚିନ୍ତାପ୍ରକଟ କରାଯାଇଛି ।

ବିଶ୍ବ ତାପମାତ୍ରା ବୃଦ୍ଧି ଯୋଗୁଁ ଭାରତର ଅନେକ ଉପକୂଳବର୍ତ୍ତୀ ସହର ସମୁଦ୍ର ଗର୍ଭରେ ଲୀନ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଉପକୂଳରେ ସମୁଦ୍ରର ଜଳସ୍ତର ବାର୍ଷିକ ୧.୭୦ ମଲିମିଟର ହାରରେ ବୃଦ୍ଧି ପାଉଛି । ଉପଗ୍ରହ ତଥ୍ୟ ଅନୁସାରେ, ଗତ ଦଶନ୍ଧିରେ ଉତ୍ତର ଭାରତ ମହାସାଗରର ବାର୍ଷିକ ଜଳପତ୍ତନ ୬.୧ମି.ମି ହାରରେ ବୃଦ୍ଧି ପାଇଛି । ସୁନାମି, ସାମୁଦ୍ରିକ ଝଡ଼, ସମୁଦ୍ର ତଟ କ୍ଷୟ ଓ ବନ୍ୟା ଫଳରେ ନିୟମିତ ଭାବେ ସମୁଦ୍ର ତଟ କ୍ଷୟ ପାଉଛି ।

ସମୁଦ୍ର ଜଳପତ୍ତନ ବୃଦ୍ଧି ଯୋଗୁଁ ଡାଇମଣ୍ଡ ହାର୍ବର, କାଣ୍ଡଲା, ହଳଦିଆ, ମୁମ୍ବାଇ, କୋଲକାତା, ପୋର୍ଟ ବ୍ଲେୟାର ଭଳି ସହର ବୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସମଗ୍ର ବିଶ୍ବରେ ସମୁଦ୍ର ପତ୍ତନ ୪ ଫୁଟ ବୃଦ୍ଧି ପାଇବ ବୋଲି ବ୍ରିଟେନର ଏକ ପ୍ରମୁଖ ସାମୁଦ୍ରିକ ବିଜ୍ଞାନ ବିଶେଷଜ୍ଞ କହିଛନ୍ତି । ଅସ୍ବାଭାବିକ ଭାବେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଯୋଗୁଁ ନିୟମିତ ଭାବେ ବିଶ୍ବ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହା ନିଶ୍ଚିତ ଭାବେ ଚିନ୍ତାଜନକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.