ମାଲକାନଗିରି ସୀମାନ୍ତରେ ଏନ୍କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ନିହତ
5/09/2023 at 12:47 PM

ମାଲକାନଗିରି ୦୫।୦୯: ମାଲକାନଗିରି ସୀମାନ୍ତରେ ଏନ୍କାଉଣ୍ଟର । ଛତିଶଗଡ଼ ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଏନ୍କାଉଣ୍ଟର ହୋଇଛି । ଯେଉଁଥିରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ତାଡମେଟାଲ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଲିଥିଲା ।ଏହାପରେ ଡିଆର୍ଜି ଯବାନ ଓ ସ୍ଥାନୀୟ ପୋଲିସ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । କିନ୍ତୁ ସୁରକ୍ଷାକର୍ମୀ ଘେରିବା ଦେଖି ଗୁଳିମାଡ଼ ଆରମ୍ଭ କରିଥିଲେ ମାଓବାଦୀ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଡିଆରଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା ।
ଶେଷରେ ଡିଆର୍ଜି ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହାପରେ ମାଓବାଦୀମାନେ ଜଙ୍ଗଲରୁ ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଏବେବି ତାଡମେଟାଲ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।