ଚଳିତ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ଦିଆଯିବ ଇଂରାଜୀ ଶିକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
13/08/2019 at 12:16 PM

ଭୁବନେଶ୍ବର ୧୩|୮: ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯିବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯିବ । ପରେ ପ୍ରତି ଓଡିଆ ମାଧ୍ୟମ ସ୍କୁଲରେ ପ୍ରଥମରୁ ଇଂରାଜୀ ଶିକ୍ଷା ପ୍ରଚଳନ କରାଯିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
ଏଣିକି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ, ବିଜ୍ଞାନ ଓ ଇଂରାଜୀ କ୍ଲାସ୍ ଦେଢ ଘଣ୍ଟିଆ ହେବ । ପୂର୍ବରୁ ପ୍ରତି ପିରିୟଡ୍ ୪୫ ମିନିଟ୍ କରାଯାଉଥିଲା । ମାଟ୍ରିକ୍ ପରୀକ୍ଷା ରେଜଲ୍ଟକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ସିବିଏସଇ ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଏହାର ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ଅଭିଭାବକମାନଙ୍କ ଦାବିକୁ ନେଇ ପୁନର୍ବିଚାର ପାଇଁ ଚିଠି ଲେଖାଯାଇଛି ।