ପାକିସ୍ତାନକୁ ଟେଷ୍ଟ ଚାମ୍ପିଅନସିପରୁ ବାହାର କଲା ଇଂଲଣ୍ଡ ! ଏବେ ଭାରତ ସହିତ ଅଛନ୍ତି ୩ ପ୍ରବଳ ଦାବିଦାର
20/12/2022 at 10:53 PM

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ସଂପନ୍ନ ହୋଇଛି। ଭ୍ରମଣକାରୀ ଇଂଲଣ୍ଡ ପାକିସ୍ତାନକୁ ତାରି ଘରେ ୩-୦ରେ ଶୋଚନୀୟ ଭାବେ ପରାସ୍ତ କରିଛି। ଆଉ ପ୍ରଥମ ଥର ପାକିସ୍ତାନ ନିଜ ଘରେ ତିନି ମ୍ୟାଚ୍ର ଟେଷ୍ଟ ସିରିଜ୍କୁ ୩-୦ରେ ପରାଜିତ ହୋଇଛି। ପାକିସ୍ତାନର ଏହି ପରାଜୟ ସହିତ ତାର ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ ଖେଳିବାର ସ୍ଵପ୍ନ ମଧ୍ୟ ପ୍ରାୟତଃ ଶେଷ ହୋଇ ଯାଇଛି। ଅନ୍ୟପକ୍ଷେ ଅଷ୍ଟ୍ରେଲିଆର ଫାଇନାଲ୍ ଖେଳିବା ପ୍ରାୟତଃ ନିଶ୍ଚିତ ହୋଇ ଯାଇଥିବା ବେଳେ ଦ୍ଵିତୀୟ ସ୍ଥାନ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର ଚାଲିଛି।
ଔପଚାରିକ ଭାବେ ଛଅଟି ଦଳ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ଦୌଡରେ ରହିଛନ୍ତି। ଏଥିରୁ ଚାରୋଟି ଦଳର ଫାଇନାଲ୍ରେ ପହଞ୍ଚିବା ବହୁତ ମୁସ୍କିଲ। ସେମାନଙ୍କୁ ନିଜର ବାକି ସମସ୍ତ ମ୍ୟାଚ୍ ଜିତିବା ସହିତ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।
ଅଷ୍ଟ୍ରେଲିଆ
ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲ୍ରେ ଅଷ୍ଟ୍ରେଲିଆ ଦଳ ୭୬.୯୨ ପ୍ରତିଶତ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ଏବଂ ଏହି ଦଳର ଫାଇନାଲ୍ ଖେଳିବା ଆପାତଃ ସ୍ପଷ୍ଟ ହୋଇ ସାରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବିଜୟ ପରେ କଙ୍ଗାରୁ ଦଳକୁ ଏହି ସିରିଜ୍ରେ ଆହୁରି ଦୁଇଟି ମ୍ୟାଚ୍ ବାକି ରହିଛି। ଅଷ୍ଟ୍ରେଲିଆ ଦଳ ଏହି ଦୁଇଟି ମ୍ୟାଚ୍ ଜିତି ଫାଇନାଲ୍ରେ ସ୍ଥାନ ସୁନିଶ୍ଚିତ କରିବାକୁ ଉଦ୍ୟମ କରିବ। ଏହାପରେ ଦଳ ଭାରତ ବିପକ୍ଷରେ ୪ଟି ଟେଷ୍ଟ ଖେଳିବ। ତେବେ ଏହି ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ଫାଇନାଲ୍ରେ ନିଜ ସ୍ଥାନ ନିଶ୍ଚିତ କରିପାରିବ।
ଭାରତ
ଭାରତ ନିକଟରେ ୫୫.୭୭ ବିଜୟ ପ୍ରତିଶତ ରହିଛି। ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ତାଲିକାରେ ଭାରତ ବର୍ତ୍ତମାନ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତ ନିକଟରେ ବାଂଲାଦେଶକୁ ହରାଇଛି ଏବଂ ଦ୍ଵିତୀୟ ଟେଷ୍ଟ ଖେଳ ବାକି ରହିଛି। ଏହା ପରେ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ। ଭାରତୀୟ ଦଳ ଏହି ପାଞ୍ଚଟି ଟେଷ୍ଟ ଜିତିବାର ପ୍ରବଳ ଦାବିଦାର ରହିଛି। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ଟେଷ୍ଟ ନଜିତିଲେ ବି ଦଳ ଫାଇନାଲ୍ରେ ପ୍ରବେଶ କରି ପାରିବ। ଯଦି ଭାରତ ପାଞ୍ଚଟି ମ୍ୟାଚ୍ରୁ ୪ଟିରେ ବିଜୟୀ ହୁଏ ତେବେ ଦଳର ଫାଇନାଲ ଖେଳିବା ସ୍ପଷ୍ଟ ହୋଇଯିବ।
ଦକ୍ଷିଣ ଆଫ୍ରିକା
ଦକ୍ଷିଣ ଆଫ୍ରିକା ନିକଟରେ ୫୪.୫୫ ପ୍ରତିଶତ ପଏଣ୍ଟ ରହିଛି। ପଏଣ୍ଟ ତାଲିକାରେ ଦଳ ତୃତୀୟ ସ୍ଥାନରେ ରହିଛି ଏବଂ ଫାଇନାଲ୍ ଖେଳିବାର ତୃତୀୟ ସବୁଠୁ ବଡ ଦାବିଦାର। ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ବିପକ୍ଷରେ ଆଉ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବା ବାକି ରହିଛି। ପ୍ରଥମ ଟେଷ୍ଟ ହାରିଥିବା ବେଳେ ବାକି ଦୁଇଟି ମ୍ୟାଚ୍ ଜିତିବା ଦକ୍ଷିଣ ଆଫ୍ରିକା ପାଇଁ ବଡ ମୁସ୍କିଲ। ଏହା ପରେ ଦଳ ଘରୋଇ ମାଟିରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ। ଦକ୍ଷିଣ ଆଫ୍ରିକା ଏହି ଦୁଇଟି ମ୍ୟାଚ୍ ସହଜରେ ଜିତି ପାରିବ। କିନ୍ତୁ ଅଷ୍ଟ୍ରେଲିଆ ନିକଟରୁ ସିରିଜ୍ ହାରିଲେ ଦଳର ଫାଇନାଲ୍ ଖେଳିବା ମୁସ୍କିଲ ହୋଇଯିବ।
ଶ୍ରୀଲଙ୍କା
ଶ୍ରୀଲଙ୍କା ଦଳ ୫୩.୩୩ ପ୍ରତିଶତ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଚତୁର୍ଥ ସ୍ଥାନରେ ରହିଛି। ଦଳ ନିଜର ସମସ୍ତ ମ୍ୟାଚ୍ ଜିତି ୬୧.୧୧ ପ୍ରତିଶତ ଅଙ୍କ ହାସଲ କରି ପାରିବ ଏବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ ଖେଳି ପାରିବ। କିନ୍ତୁ ଶ୍ରୀଲଙ୍କା ପକ୍ଷେ ଏହା ସହଜ ନୁହେଁ। ଶ୍ରୀଲଙ୍କା ନିକଟରେ ଏବେ କେବଳ ଦୁଇଟି ମ୍ୟାଚ୍ ବାକି ରହିଛି ଏବଂ ଏହି ସିରିଜ୍ ନ୍ୟୁଜିଲାଣ୍ଡ ମାଟିରେ ଖେଳାଯିବ। ଏମିତିରେ ଶ୍ରୀଲଙ୍କା ପାଇଁ କିଓ୍ଵି ମାଟିରେ କୌଣସି ଟେଷ୍ଟ ସିରିଜ୍ ଜିତିବା ମୁସ୍କିଲ ହେବ।